କାନ୍ଦି କାନ୍ଦି ଗଡି ଯାଉଛି ବୁଢୀ ମାଉସୀ । ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ଗୁହାରି କରୁଛି । ବୁଢୀ ମାଉସୀର ଏ ଗୁହାରୀ ଘର, ଜମି କି ଟଙ୍କା ପାଇଁ ନୁହେଁ, ଗୋଟିଏ ଗାଇ ପାଇଁ । କାନ୍ଦି କାନ୍ଦି କହୁଛି, ମୋ ପ୍ରିୟ ଗାଇଟିକୁ ଫେରେଇ ଦିଅ ଗୋ । ହେଲେ କେହି ଶୁଣୁନାହାଁନ୍ତି । ଗାଇ ଫେରେଇ ଦେବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ବି ଗାଇ ଫେରିନି । ଗାଇକୁ ଅପେକ୍ଷା କରି ରହିଥିବା ବୁଢୀ ମାଉସୀ ଆଖିରୁ ଲୁହ ଶୁଖୁନି ।
ଏ ବୁଢୀ ମାଉସୀ ହେଲେ ସୋନପୁର ସହରର ତରାସ ବାଘ । ଦୀର୍ଘ କୋଡିଏ ବର୍ଷ ଧରି ସୋନପୁର ବସଷ୍ଟାଣ୍ଡ ପାଖରେ ରହିଆସୁଛନ୍ତି । ଭିକ ମାଗି ଚଳୁଥିବା ତରାସଙ୍କର କେହି ନାହାଁନ୍ତି । ହେଲେ ବୁଲା ଗାଇଟିଏ ସହିତ ତାଙ୍କର ଆତ୍ମୀୟତା ବଢିଯାଇଥିଲା । ଗାଇକୁ ଖାଇବାକୁ ଦିଅନ୍ତି, ସ୍ନେହରେ ଆଉଁସି ଦିଅନ୍ତି ତରାସ । ନିଜ ଜୀବନଠୁ ବି ଅଧିକ ଭଲ ପାଆନ୍ତି ସେ ଗାଇକୁ । ମାତ୍ର ସହରର ବୁଲା ଗୋରୁଗାଇଙ୍କୁ ନେଇ ଗୋଶ୍ରଦ୍ଧା ଯୋଜନାରେ କାଂଜି ହାଉସରେ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ । ସୋନପୁର ପୌର ପରିଷଦ ପକ୍ଷରୁ ସହରର ବୁଲା ଗୋରୁଗାଇଙ୍କ ଭିତରେ ତରାସଙ୍କ ଗାଇକୁ ବି କାଂଜି ହାଉସକୁ ପଠାଇଦିଆଗଲା । ତରାସ ଯେତେ କାକୁତିମୀନତି କଲେ ବି କେହି ଶୁଣିଲେନି । ଗାଇକୁ ଫେରେଇ ଦେବା ପାଇଁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଆଗରେ ଗୁହାରୀ କରିଛନ୍ତି ତରାସ । ତରାସଙ୍କୁ ଗାଇ ଫେରେଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତିରେ ଆଶ୍ବସ୍ତ ହୋଇଥିଲେ ବି ଗାଇଟିର ଫେରିବା ବାଟକୁ ଅପେକ୍ଷା କରି ରହିଛନ୍ତି ତରାସ ।

LEAVE A REPLY

Please enter your comment!
Please enter your name here