ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବନି କଂଗ୍ରେସ । ଏହା କହିଛନ୍ତି ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଦ୍ରୌପଦୀ ମୁର୍ମୁ ଜଣେ ଭଲ ବିଧାୟକ ଥିଲେ ଏବଂ ଜଣେ ଭଲ ମଣିଷ । ମାତ୍ର ସେ ବିଜେପି ଆଦର୍ଶରେ ବିଶ୍ବାସ କରୁଥିବାରୁ କଂଗ୍ରେସ ତାଙ୍କୁ ସମର୍ଥନ ଦେବ ନାହିଁ ବୋଲି କହିଛନ୍ତି ନରସିଂହ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ମିଳିତ ବିରୋଧୀ ଦଳ ଯଶଓ୍ବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି । ତେଣୁ ଜଣଙ୍କୁ ପ୍ରାର୍ଥୀ ଘୋଷଣା କରି ଆଉ ଜଣଙ୍କୁ ସମର୍ଥନ କରିବା ଠିକ୍ ନୁହେଁ । ଦ୍ରୌପଦୀଙ୍କୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦଳକୁ ଆହ୍ବାନ ଦେବା ପ୍ରସଙ୍ଗରେ ନରସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଯଦି ଏତେ ଓଡିଆ ପ୍ରୀତି ରହିଛି, ତେବେ ଜଣେ ଅଣ ଓଡିଆଙ୍କୁ ରାଜ୍ୟସଭାକୁ ପଠାଉଥିଲେ କାହିଁକି । ଓଡିଶାରେ କଣ ଯୋଗ୍ୟ ଓଡିଆ ପ୍ରାର୍ଥୀ ନ ଥିଲେ କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।