ପଶ୍ଚିମବଙ୍ଗରେ ପ୍ରଦର୍ଶିତ ହୋଇପାରିବ ନାହିଁ ସିନେମା ‘ଦି କେରଲ ଷ୍ଟୋରୀ’ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସିନେମା ପ୍ରଦର୍ଶନ ଉପରେ ରୋକ୍ ଲଗାଇଛନ୍ତି । ମମତା କହିଛନ୍ତି ଏହା ଏକ ବିବାଦୀୟ ସିନେମା । କାଶ୍ମୀର ଫାଇଲ୍ସ ଭଳି ଦି କେରଲ ଷ୍ଟୋରୀ ସିନେମା ତିଆରି କରିବା ପାଇଁ ବିଜେପି ଆର୍ଥିକ ସହାୟତା ଦେଉଛି । ଏଭଳି ସିନେମା ପ୍ରଦର୍ଶନ ଉତ୍ତେଜନା ସୃଷ୍ଟିକାରୀ । କାଶ୍ମୀର ଫାଇଲ୍ସ ସିନେମା ତିଆରି କରି ସେମାନେ କାଶ୍ମୀରବାସୀଙ୍କୁ ଅପମାନିତ କରିଥିଲେ, ଏବେ କେରଳକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି । ମମତା କହିଛନ୍ତି, ପଶ୍ଚିମବଙ୍ଗ ପାଇଁ ମଧ୍ୟ ସେମାନେ ଏକ ପୋଷ୍ଟର ପ୍ରସ୍ତୁତ କରିଥିବା କଥା ସେ ଜାଣିବାକୁ ପାଇଛନ୍ତି । ସେଭ୍ ବେଙ୍ଗଲ ନାଁରେ ଏହି ପୋଷ୍ଟର ଲଗାଇବେ । ମାତ୍ର ପଶ୍ଚିମବଙ୍ଗରେ ଏମିତି କଣ ହୋଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀରେ ଦି କେରଲ ଷ୍ଟୋରୀ ସିନେମା ଦେଖିବା ପରେ ମମତା ବାନାର୍ଜୀ ସିନେମାକୁ ବ୍ୟାନ୍ କରି ଭୁଲ୍ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ସିନେମା ସତ୍ୟ ତଥ୍ୟ ଉପରେ ଆଧାରିତ ବୋଲି ସେ କହିଛନ୍ତି । ମମତା କଣ ସତ୍ୟ ପ୍ରକାଶ ପାଉ ବୋଲି ଚାହୁଁ ନାହାଁନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୁଦୀପ୍ତ ସେନଙ୍କ ଦ୍ବାରା ଲିଖିତ ଓ ନିର୍ଦ୍ଦେଶିତ ଏହି ସିନେମାରେ କେରଳରେ ହିନ୍ଦୁ ଯୁବତୀମାନଙ୍କୁ କିପରି ଇସଲାମ ଧର୍ମକୁ ଧର୍ମାନ୍ତରଣ କରାଯାଉଛି ଏବଂ ପରବର୍ତ୍ତୀ ସମୟରେ ସେମାନେ କିପରି ଆତଙ୍କବାଦୀ ସଂଙ୍ଗଠନ ଆଇଏସଆଇଏସରେ ସାମିଲ ହେଉଛନ୍ତି, ତାହା ବର୍ଣ୍ଣନା କରାଯାଇଛି । ସିନେମାର ଟ୍ରେଲରରେ ଦାବି କରାଯାଇଛି, କେରଳରେ 32 ହଜାର ହିନ୍ଦୁ ଯୁବତୀଙ୍କୁ ଇସଲାମ ଧର୍ମରେ ଧର୍ମାନ୍ତରଣ କରାଯାଇଛି । ପରେ ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଉଛି । କେରଳରେ କ୍ଷମତାସୀନ ସିପିଆଇଏମ ଓ ବିରୋଧୀ କଂଗ୍ରେସ ଏଭଳି ସିନେମା ନିର୍ମାଣ ପଛରେ ଗୁପ୍ତ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି, କେରଳରେ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପି ଏମିତି ପ୍ରୋପାଗଣ୍ଡା ସିନେମା ତିଆରି କରୁଛି ।

ମଧ୍ୟପ୍ରଦେଶରେ ଦି କେରଲ ଷ୍ଟୋରୀକୁ ଶୁଳ୍କ ମୁକ୍ତ କରାଯାଇଛି । ଦିଲ୍ଲୀରେ ଏହାକୁ ନିଶୁଳ୍କ କରିବା ପାଇଁ ବିଜେପି ଦାବି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଳି ସିନେମା ନିର୍ମାଣ ଦ୍ବାରା ଆତଙ୍କବାଦୀ ଡିଜାଇନିଂ ଧରାପଡିଯାଇଛି ।

LEAVE A REPLY

Please enter your comment!
Please enter your name here