ପୁରୀ ଶ୍ରୀମନ୍ଦିରର ଚାରିଦ୍ବାର ଭକ୍ତଙ୍କ ନିମନ୍ତେ ଖୋଲିବାକୁ ଦାବି ଜୋର୍ ଧରିଛି । ପୂର୍ବରୁ ଜଗନ୍ନାଥ ସେନା ପକ୍ଷରୁ ଚାରିଦ୍ବାର ଖୋଲିବାକୁ ବାରମ୍ବାର ଦାବି କରାଯାଇଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଦାବି କରିଛନ୍ତି । କରୋନା ସମୟରେ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିରର ମୁଖ୍ୟ ଦ୍ବାର ଭକ୍ତଙ୍କ ନିମନ୍ତେ ଖୋଲା ରଖି ଅବଶିଷ୍ଟ ତିନି ଦ୍ବାର ବନ୍ଦ ରଖିଥିଲେ । କରୋନା ଯିବା ପରେ ମଧ୍ୟ ଶ୍ରୀମନ୍ଦିର ମଧ୍ୟକୁ ଭକ୍ତମାନେ କେବଳ ମୁଖ୍ୟ ଦ୍ବାର ଦେଇ ଭିତରକୁ ପ୍ରବେଶ କରିପାରୁଛନ୍ତି । ଶ୍ରୀମନ୍ଦିର ମଧ୍ୟକୁ ଚାରିଦ୍ବାର ଦେଇ ଭକ୍ତମାନେ ଯିବା ଆସିବା କରିଥାନ୍ତି । ଏବେ ଗୋଟିଏ ଦ୍ବାର ଦେଇ ଭକ୍ତମାନଙ୍କୁ ଛଡା ଯାଉଥିବାରୁ ଅନାବଶ୍ୟକ ଭିଡ ଲାଗି ରହୁଛି । ତେଣୁ ତୁରନ୍ତ ଶ୍ରୀମନ୍ଦିରର ଚାରିଦ୍ବାର ଭକ୍ତଙ୍କ ପାଇଁ
ଖୋଲିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଅନୁରୂପ ଦାବି କରିଛନ୍ତି । ପୁରୀ ବାସିନ୍ଦା ଏବଂ ପୁରୀରେ ରହୁଥିବା ଶ୍ରୀଜଗନ୍ନାଥ ଭକ୍ତମାନେ ଚାରିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ତେଣୁ ଏଭଳି ପ୍ରତିବନ୍ଧକ ହଠାଇବାକୁ ସେ ଦାବି କରିଛନ୍ତି । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ସାଧାରଣ ଲୋକେ ଦାବି କରିଆସୁଥିବାରୁ ଜନମତକୁ ସମ୍ମାନ ଦେଖାଇ ପ୍ରଶାସନ ତୁରନ୍ତ ଚାରିଦ୍ବାର ଖୋଲି ଦେବା ଉଚିତ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ସଂପର୍କରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାରୁ ଚାରିଦ୍ବାର ଦେଇ ଭକ୍ତମାନେ ଯିବା ଆସିବା କଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେବେ ସରକାର ଲୋକଙ୍କ ଦାବି ସଂପର୍କରେ ସଚେତନ ଅଛନ୍ତି ଏବଂ ସମୟ ଆସିଲେ ଚାରିଦ୍ବାର ଖୋଲାଯିବା ବୋଲି ସେ କହିଛନ୍ତି ।