ବର୍ଷ ବର୍ଷ ଧରି ରାଜ୍ୟ ସରକାର ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଛତୁଆ ଯୋଗାଇ ଆସୁଛନ୍ତି । ଶିଶୁ ଓ ମହିଳାଙ୍କୁ ପୁଷ୍ଟିକର ଛତୁଆ ଯୋଗାଇ ଦେବା ପାଇଁ ସରକାରଙ୍କ ଏ ବ୍ୟବସ୍ଥା କିନ୍ତୁ ଅବ୍ୟବସ୍ଥାରେ ପରିଣତ ହୋଇଛି । ଆଜି ବିଧାନସଭାରେ ଜଣକ ପରେ ଜଣେ ବିଧାୟକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶିଶୁ ଓ ମହିଳାଙ୍କୁ ଦିଆଯାଉଥିବା ନିମ୍ନମାନର ଛତୁଆ ସଂପର୍କରେ ତଦନ୍ତ କରି ଗୃହକୁ ଜଣାଇବେ ବୋଲି କହିଛନ୍ତି । ଛତୁଆ ଯୋଗାଉଥିବା ସଂସ୍ଥା ବର୍ଷ ବର୍ଷ ଧରି ପୋକରା ଛତୁଆ ଯୋଗାଇ ଆସୁଥିବାରୁ ଅଧିକାଂଶ ସ୍ଥାନରେ ଶିଶୁ ଓ ମହିଳାମାନେ ଏ ନେଇ ଆପତ୍ତି ଉଠାଇ ଆସିଛନ୍ତି । ପୋକ ସାଲୁବାଲୁ ଛତୁଆ ନେବା ପାଇଁ କେହି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ମାତ୍ର ସରକାରୀ ତହବିଲରୁ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅପପୁଷ୍ଟି ରୋକିବା ପାଇଁ ସରକାରଙ୍କ ଛତୁଆ ପ୍ରଦାନ ଯୋଜନା ଏବେ ପ୍ରହସନରେ ପରିଣତ ହୋଇଛି ବୋଲି ବିଧାନସଭାରେ ଉଦବେଗ ପ୍ରକାଶ ପାଇବା ପରେ ସରକାରଙ୍କ ଚେତା ପଶିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୋକରା ଛତୁଆ ଯୋଗାଇ ଦିଆଯାଉଥିବା ପ୍ରସଙ୍ଗ ଉଠାଇବା ପରେ ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଅନେକ ସ୍ଥାନରେ ପୋକରା ଛତୁଆକୁ ନେଇ ବିଡିଓଙ୍କ ଦୃଷ୍ଟି ଆକର୍,ଣ କରାଯିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।