ରାଜ୍ୟପାଳ ଡଃ. ହରିବାବୁ କମ୍ଭମପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । 2047 ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ଓଡିଶାର ଲକ୍ଷ୍ୟ ହାସଲ ପାଇଁ ସରକାର ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି । 2036 ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ବର୍ତ୍ତମାନର ସମୟ ଅମୃତବେଳା ବୋଲି ରାଜ୍ୟପାଳ କହିଛନ୍ତି । ସେ କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ଓଡିଶାବାସୀ ପରିବର୍ତ୍ତନ ସପକ୍ଷରେ ରାୟ ଦେଇ ଭବିଷ୍ୟତ ପାଇଁ ମୋ ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି । ସରକାର ଆସିବାର ଆଠମାସ ଭିତରେ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରିବା ସହ ଓଡିଆ ଅସ୍ମିତା ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ସୁଭଦ୍ରା ଯୋଜନାରେ ଏକକୋଟି ମହିଳାଙ୍କୁ ସାମିଲ କରିବା, ଧାନର ଏମଏଶପି ଦରରେ କ୍ବିଣ୍ଟାଲ ପିଚ୍ଛା ଆଠଶହ ଟଙ୍କା ବୃଦ୍ଧି କରିବା ଭଳି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତେବେ ଏହା ମଧ୍ୟରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ, ଓଡିଶାରେ 18 ତମ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବା ଏବଂ ମେକ୍ ଇନ ଓଡିଶା ଆଦି କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି କହିଥିଲେ । ଅପରପକ୍ଷରେ ବିରୋଧୀ ଚିରାଚରିତ ଢଙ୍ଗରେ ରାଜ୍ୟପାଳଙ୍କ ଅଭିଭାଷଣକୁ ସମାଲୋଚନା କରିବା ସହ ପୂର୍ବ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନାର ନୂଆ ନାମକରଣ କରି ରାଜ୍ୟ ସରକାର ବାହା-ବା ନେବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ।