ବିଜେଡିରେ ଯାହା ଯେମିତି ଚାଲିଛି, ଲାଗୁଛି ଆଉ ବେଶୀ ଦିନ ନୁହେଁ । ଗୋଟିଏ ଆଞ୍ଚଳିକ ଦଳ ଭାବେ ଗତ ଚବିଶ ବର୍ଷ ଧରି କ୍ଷମତା ସିଂହାସନରେ ବସିଥିବା ବିଜେଡି ଏବେ ଶେଷ ସୋପାନରେ ପହଞ୍ଚି ସାରିଛି । ଓ୍ବକଫ ବିଲ୍ ପ୍ରସଙ୍ଗରେ ବିଜେଡିର ଅସ୍ପଷ୍ଟ ନିଷ୍ପତ୍ତି ଏହା ପ୍ରମାଣିତ କରୁଛି । ଦଳର ସୁପ୍ରମୋ ନବୀନ ପଟ୍ଟନାୟକଙ୍କ ଭୂମିକା ଗତ ନିର୍ବାଚନ ପୂର୍ବରୁ ଯାହା ଥିଲା, ପରେ ମଧ୍ୟ ସେଇୟା ରହିଛି । ପାଣ୍ଡିଆନଙ୍କ ହାତରେ କଣ୍ଢେଇ ହୋଇଯାଇଛନ୍ତି ନବୀନ । ନିର୍ବାଚନ ପରେ ଦଳ ଭିତରେ ପାଣ୍ଡିୟାନ ବିରୋଧୀ ଅସନ୍ତୋଷ ତେଜୁଥିବା ବେଳେ ନିରବ ହୋଇଯାଇଛନ୍ତି ନବୀନ । ମନେ ହେଉଛି, କୌଣସି ଦୃଢ ନିଷ୍ପତ୍ତି ନେବା ଏବଂ ଦଳର କର୍ମୀ ଓ ନେତାଙ୍କୁ ଦିଗଦର୍ଶନ ଦେବା ପାଇଁ ତାଙ୍କ ପାଖରେ ଆଉ ସାମର୍ଥ୍ୟ ନାହିଁ । ମୁଖ୍ୟ ବିରୋଧୀ ଦଳ ଭାବେ ଦାୟିତ୍ବ ନିର୍ବାହ କରିବା ବଦଳରେ ଏବେ ନିଜ ନିଜ ଭିତରେ ଲଢେଇରେ ବ୍ୟସ୍ତ ଅଛନ୍ତି ସମସ୍ତେ । ସବୁଟୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିର୍ବାଚନରେ ହାରିବା ପରେ ମଧ୍ୟ ବିଜେଡି ନେତାଙ୍କ ଚେତା ଏଯାଏଁ ପଶିନି । ବବି ଦାସ ଓ ପାଣ୍ଡିୟାନ ଦଳକୁ ତଳିତଳାନ୍ତ କରିଦେଲେ ବୋଲି ଦଳୀୟ ନେତା ଓ କର୍ମୀଙ୍କ ଖୁଲମଖୁଲା ଅଭିଯୋଗ ପରେ ବି ସୁପ୍ରିମୋ ନବୀନ ପଟ୍ଟନାୟକ ଚୁପ୍ ହୋଇ ବସିବା ବିଜେଡି ବିଭାଜନର ଏକ ମୁଖ୍ୟ କାରଣ ହେବାକୁ ଯାଉଛି । ଅଧିକାଁଶ ନେତା ଓ ବିଧାୟକ ଏବେ ଦଳ ପରିଚାଳନାକୁ ନେଇ ସନ୍ତୁଷ୍ଟ ନାହାଁନ୍ତି । ରାଜନୈତିକ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖୁଥିବା ବହୁ ବିଜେଡି ନେତାଙ୍କୁ ହୃଦବୋଧ ହେଉଛି, ବିଜେଡି ଡଙ୍ଗା ଡୁବି ସମୟକୁ ଆସିଲାଣି । ନବୀନ ବୟସର ଅପରାହ୍ନରେ ପହଞ୍ଚିସାରିଲେଣି । ଦଳର ନେତୃତ୍ବ ନେଇ ଆଗକୁ ଚାଲିବା ପାଇଁ କେହି ଯୋଗ୍ୟ କି ଦକ୍ଷ ନେତୃତ୍ବ ଦେଖାଯାଉନାହାଁନ୍ତି । ଅତଏ ଡୁବିବାକୁ ଯାଉଥିବା ଡଙ୍ଗା ଛାଡି ଅନୟ ଡଙ୍ଗାକୁ ଡେଇଁବାକୁ ଗୋଡ ଟେକିଲେଣି ବହୁ କର୍ମୀ ଓ ନେତା । ଆଖି ଆଗରେ ପଦ୍ମଫୁଲିଆ ଡଙ୍ଗାର ସଫଳତା ସେମାନଙ୍କୁ ଏବେ ଆକୃଷ୍ଟ କରିବା ଆରମ୍ଭ କରିଛି । ଡଙ୍ଗା ଡୁବିବାକୁ ବସିଲାଣି ବୋଲି ଦଳ ଭିତରେ ସମସ୍ତେ ହୃଦୟଙ୍ଗମ କରୁଛନ୍ତି । ତେଣୁ ଡୁବିବାକୁ ଯାଉଥିବା ଡଙ୍ଗାର ପାଣ୍ଢି ପୁଟୁଳି ଯାହା ପାଖରେ ରହିଛି, ସେମାନେ ବି କିଛି କମ୍ ଚତୁର ନୁହଁନ୍ତି । ଯେତେଶୀଘ୍ର ଡଙ୍ଗା ଡୁବିବ, ସେମାନଙ୍କର ଲାଭ ଭଲ ହେବ । ତେଣୁ ଯେତେ ବିଦ୍ରୋହ ହେଲେ ବି କାଖରେ ପାଣ୍ଠି ପୁଟୁଳି ଧରି ସେମାନେ ଗୁମ୍ ପାରି ବସିଛନ୍ତି । ଦଳୀୟ କର୍ମୀ ଓ ନେତାଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି । ମାତ୍ର ଗତ ନିର୍ବାଚନ ପୂର୍ବରୁ ସେମାନେ ଦେଖାଇଥିବା ରଙ୍ଗୀନ ସ୍ବପ୍ନରେ ଆଉ ବିଭୋର ହେବାକୁ ଚାହୁଁନାହାନ୍ତି ନେତା ଓ କର୍ମୀ ।
ଗୋଟିଏ ଆଞ୍ଚଳିକ ଦଳ ଭାବେ ଦୀର୍ଘବର୍ଷ ଧରି କ୍ଷମତାରେ ରହି ଲୋକପ୍ରିୟତା ହାସଲ କରିବାରେ ବିଜେଡି ସଫଳ ହୋଇଛି, ଏହା ନିଃସନ୍ଦେହ । ମାତ୍ର ଉତଥାନ ପରେ ଦଳର ପତନ ଏବେ ଜଳ ଜଳ ଦିଶୁଛି । ପତନ ପାଇଁ କିଏ ଦାୟୀ, ସେକଥା ସମସ୍ତେ ଅନୁଭବ କରୁଛନ୍ତି । ମାତ୍ର ଆଉ କାହା ପାଖରେ କିଛି ବାଟ ନାହିଁ । ଓଡିଶା ପୁଣି ନୂଆ ରାଜନୈତିକ ସମିକରଣର ସାମନା କରିବ । ଗୋଟିଏ ଦଳର ପତନ ପୁଣି ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିବ, ଏଥିରେ କୌଣସି ଦ୍ବିମତ ନାହିଁ । (ଅପୂର୍ବ କୁମାର ମହାନ୍ତି )