ଶେଷରେ ମାନିଲା ସୋନମ୍ ରଘୁବଂଶୀ । ସେ ହିଁ ତା ସ୍ବାମୀ ରାଜା ରଘୁବଂଶୀକୁ ହତ୍ୟା କରିଛି ବୋଲି ମେଘାଳୟ ପୋଲିସ ଆଗରେ ସ୍ବୀକାର କରିଛି । ମେ 11 ତାରିଖରେ ରାଜା ରଘୁବଂଶୀକୁ ବିବାହ କରିଥିବା ସୋନମ ପ୍ରେମିକ ରାଜ୍ ସହ ମିଶି ହତ୍ୟା ଷଡଯନ୍ତ୍ର ରଚିଥିଲା । ବାହାଘରର ଠିକ୍ ମାସକ ପରେ ସେ ତା ସ୍ବାମୀକୁ ହତ୍ୟା କରିଥିବା ସ୍ବୀକାର କରିଛି । ରାଜା ରଘୁବଂଶୀର ପରିବାର ଲୋକ ଏବଳି ସୈତାନ ସ୍ତ୍ରୀ କୁ ଫାଶୀ ଦେବା ଦରକାର ବୋଲି କହିଛନ୍ତି ।
ଘଟଣାଟି ହେଉଛି, ବିବାହ ପରେ ହନିମୁନ୍ ପାଇଁ ସିଲଙ୍ଗ ଯାଇଥିଲେ ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ଓ ତାଙ୍କ ପତ୍ନୀ ସୋନମ୍ । ସେଠାକୁ ଯିବାର କିଛି ଦିନ ଯାଏ ପରିବାର ଲୋକଙ୍କ ଯୋଗାଯୋଗରେ ଥିଲେ । ହେଲେ ହଠାତ୍ ଦୁହିଁଙ୍କ ଫୋନ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା । କିଛି ଦିନ ଯୋଗାଯୋଗ ନହେବାରୁ ପରିବାର ଲୋକେ ସିଲଙ୍ଗ ଗଲେ । ଯେଉଁ ଠିକଣା ପୂର୍ବରୁ ରାଜା କହିଥିଲେ ସେ ସ୍ଥାନକୁ ଯାଇ ଖୋଜାଖୋଜି କରିବା ପରେ ବି ପୁଅ ବୋହୂ ମିଳିଲେନି । ସେଠାରୁ ଫେରି ସ୍ଥାନୀୟ ପୁଲିସର ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ପୁଲିସ ମେଘାଳୟ ପୁଲିସ ସହ ଯୋଗାଯୋଗ କରିଥିଲେ । ଅନେକ ଖୋଜିବା ପରେ ଜୁନ୍ ୨ ତାରିଖରେ ଚେରାପୁଞ୍ଜିର ଏକ ଝରଣା ନିକଟରୁ ରାଜାଙ୍କ ମୃତଦେହ ମିଳିଥିଲା । ତେବେ ମୃତଦେହର ହାତରେ ରାଜା ଟାଟୁ ହୋଇଥିବା ଦେଖି ସେଠିକାର ପୁଲିସ ଇନ୍ଦୋର ପୁଲିସକୁ ଜଣାଇବା ପରେ ପରିବାର ଲୋକେ ଯାଇ ପୁଅକୁ ଚିହ୍ନିଥିଲେ । ରାଜାଙ୍କ ମୃତଦେହରେ କ୍ଷତ ଚିହ୍ନ ଥିବାବେଳେ ତାଙ୍କ ଶବ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିଲା ।
ହତ୍ୟାକାଣ୍ଡ ଘଟଣାରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ସୋନମ ୟୁପି ଗାଜିପୁର ଥାନାରେ ଗତ 8 ତାରିଖରେ ପହଞ୍ଚିଥିଲା ଏବଂ ତାକୁ ନିଶା ଦେଇ ସେଠାକୁ ଅଣାଯାଇଛି ବୋଲି କହିଥିଲା । ନିଜ ଘର ଲୋକଙ୍କ ଆଗରେ ମଧ୍ୟ ସୋନମ ଏକା କଥା କହିଥିଲା । ମାତ୍ର ପୋଲିସର ଛାନଭିନ ପରେ ସୋନମ ଯେ ନିଜ ସ୍ବାମୀକୁ ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇଯାଇଥିଲା । ନିଜ ପ୍ରେମିକ ରାଜ୍ ସହ ମିଶି ସ୍ବାମୀ ରାଜା ରଘୁବଂଶୀକୁ ସୁପାରୀ କିଲର ମାଧ୍ୟମରେ ହତ୍ୟା କରିଥିବା ସ୍ବୀକାର କରିଛି ସୋନମ । ହନିମୁନ୍ ଟ୍ରିପରେ ମେଘାଳୟ ଯାଇ ସେ ଓ ତା ପ୍ରେମିକ ତିନିଜଣ ସୁପାରୀ କିଲରଙ୍କ ମାଧ୍ୟମରେ ରାଜା ରଘୁବଂଶୀକୁ ହତ୍ୟା କରିଥିଲା ।














