ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକାର ବଡ ଆକ୍ରମଣ । ଫରଡୋ, ନାଟାଞ୍ଜ ଓ ଇସଫାନ ପରମାଣୁ କେନ୍ଦ୍ର ଉପରେ କ୍ଲଷ୍ଟର ବୋମା ସହ ଭୟଙ୍କର ଆକ୍ରମଣ କରିଛି ଆମେରିକା । ଇରାନକୁ ପରମାଣୁ କ୍ଷମତାରୁ ପଙ୍ଗୁ କରିବା ଲକ୍ଷ୍ୟରେ ଆମେରିକା ଏହି ଆକ୍ରମଣ କରିଛି । ଆକ୍ରମଣ ପରେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଇରାନର ପରମାଣୁ କେନ୍ଦ୍ର ଧ୍ବଂସ ହୋଇଛି । ପୂର୍ବରୁ ଇରାନକୁ ଚେତାବନୀ ଦିଆଯାଇଥିଲା । ଏବେ ଯୁଦ୍ଧ ବନ୍ଦ ନ କଲେ ପୁଣି ଇରାନ ଉପରେ ଆକ୍ରମଣ ହେବ ।
ଇରାନ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟକୁ ପ୍ରବେଶ କରିଛି ଆମେରିକା । ଆଜି ଆମେରିକା ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ କରି ତିନୋଟି ପରମାଣୁ କେନ୍ଦ୍ର ଧ୍ବଂସ କରିଦେଇଛି ବୋଲି ଦାବି କରିଛି । ଟ୍ରମ୍ପ କହିଛନ୍ତି, ଏବେ ଶାନ୍ତିର ସମୟ ଆସିଛି । ଇରାନ ଯୁଦ୍ଧ ବନ୍ଦ କରି ଶାନ୍ତିର ମାର୍ଗ ଗ୍ରହଣ କରିବା ଉଚିତ । ତେବେ ଆମେରିକାର ଏହି ଆକ୍ରମଣକୁ ନିନ୍ଦା କରିଛି ଇରାନ । ଆମେରିକା ସହ ପରମାଣୁ ପ୍ରସଙ୍ଗରେ ଆଲୋଚନାକୁ ଇରାନ ପ୍ରତ୍ୟାଖ୍ୟାନ କରିବା ସହ ଆମେରିକାର ଆକ୍ରମଣ ଜାତିସଂଘ ନିୟମର ଖୋଲା ଉଲ୍ଲଂଘନ । ଏହାର ଭୟଙ୍କର ପରିଣାମର ସମ୍ମୁଖୀନ ହେବା ପାଇଁ ଆମେରିକାକୁ ଚେତାବନୀ ଦେଇଛି ଇରାନ ।
ଅପରପକ୍ଷରେ ଇରାନ ଉପରେ ଆମେରିକାର ଆକ୍ରମଣକୁ ସ୍ବାଗତ କରିଛି ଇସ୍ରାଏଲ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଇରାନ ପରମାଣୁ କ୍ଷମତା ସଂପନ୍ନ ହେବା ସମଗ୍ର ମଧ୍ୟପ୍ରାଚ୍ୟ ପାଇଁ ବିପଦ ସୃଷ୍ଟି କରିବ । ଆମେରିକାର ଆକ୍ରମଣ ଶାନ୍ତି ପାଇଁ ଉଦ୍ଦିଷ୍ଟ । ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇଛନ୍ତି ନେତାନ୍ୟାହୁ ।














