ଭୁବନେଶ୍ବର : ତିନୋଟି ପ୍ରମୁଖ ଘରୋଇ ବ୍ୟାଙ୍କର କାର୍ଯ୍ୟକୁ ନେଇ ତିନିଦିନ ତଳେ ଅସନ୍ତୋଷ ପ୍ରକାଶ କରିଥିଲେ ରାଜ୍ୟ ସରକାର । ଏଚଡିଏଫସି, ଆଇସିଆଇସିଆଇ ଏବଂ ଆକ୍ସିସ ବ୍ୟାଙ୍କର କାର୍ଯ୍ୟକୁ ନେଇ ରାଜ୍ୟ ସରକାର କେବଳ ଅସନ୍ତୋଷ ପ୍ରକାଶ କରି ନ ଥିଲେ, ବରଂ ତିନୋଟି ବ୍ୟାଙ୍କ ସହ ସରକାରୀ କାରବାର ଉପରେ କଟକଣା ଜାରି କରିଥିଲେ । ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଥିଲା, ଏହି ତିନୋଟି ବ୍ୟାଙ୍କର କାର୍ଯ୍ୟ ନିରାଶଜାନକ ହୋଇଥିବାରୁ ରାଜ୍ୟର ସମସ୍ତ ସରକାରୀ ସଂସ୍ଥା ତୁରନ୍ତ ବ୍ୟାଙ୍କରେ ରଖିଥିବା ଜମାଟଙ୍କା ଅନ୍ୟତ୍ର ସ୍ଥାନାନ୍ତର କରନ୍ତୁ । ତିନୋଟି ଯାକ ବ୍ୟାକର ଖରାପ ପ୍ରଦର୍ଶନ ନେଇ ଅର୍ଥ ବିଭାଗ ରିପୋର୍ଟ ଦେବା ପରେ ସରକାର ସମସ୍ତ ସରକାରୀ ଅନୁଷ୍ଠାନ, ବିଶ୍ବବିଦ୍ୟାଳୟ ଓ ସରକାରୀ ସହବନ୍ଧିତ ଅନୁଷ୍ଠାନଗୁଡିକୁ ଏହି ତିନୋଟି ବ୍ୟାଙ୍କରେ ଫିକ୍ସ ଡିପୋଜିଟ ଅଥବା କୌଣସି ପ୍ରକାର ଜମା ନ କରିବାକୁ କହିଥିଲେ । କିନ୍ତୁ ସରକାର କଟକଣା ଜାରି କରିବାର ତିନିଦିନ ନ ପୁରୁଣୁ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି । ସରକାର ସଫେଇ ଦେଇ କହିଛନ୍ତି, ତିନୋଟି ବ୍ୟାଙ୍କରେ ଥିବା ଆକାଉଣ୍ଟ, ପେମେଣ୍ଟ ଆକାଉଣ୍ଟ, ଏଜେନ୍ସି ବ୍ୟାଙ୍କ ଆକାଉଣ୍ଟ, ଏନପିଏସ ଆକାଉଣ୍ଟ ବନ୍ଦ କରିବା ଆବଶ୍ୟକ ନାହିଁ । ତେବେ ଏହି ବ୍ୟାଙ୍କ ଗୁଡିକରେ ନୂଆ ଆକାଉଣ୍ଟ ଖୋଲାଯିବ ନାହିଁ । ଅର୍ଥ ବିଭାଗ ପକ୍ଷରୁ ଏହି ସ୍ପଷ୍ଟିକରଣ ଦିଆଯିବା ପଛରେ ବଡଧରଣର କାରବାର ହୋଇଥିବା ସନ୍ଦେହ କରାଯାଉଛି । ରାଜ୍ୟ ଅର୍ଥ ବିଭାଗ ତିନି ବ୍ୟାଙ୍କ ସଂପର୍କରେ ରିପୋର୍ଟ ଦେବା ବେଳେ ସମସ୍ତ ଦିଗ ଅନୁଧ୍ୟାନ କରିଥିଲେ । ମାତ୍ର ତିନି ବ୍ୟାଙ୍କକୁ ସରକାରୀ ବ୍ୟାଙ୍କ ତାଲିକାରୁ ବାଦ ଦିଆଯିବା ପରେ ସରକାର ନିଷ୍ପତ୍ତି ବଦଳାଇବା ପଛରେ କିଛି ବଡଧରଣର ଲାଞ୍ଚ କାରବାର ହୋଇଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here