ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି । ବହୁତ ଭକ୍ତ ଆହତ ମଧ୍ୟ ହୋଇଛନ୍ତି । ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ମୃତକ ହେଲେ ପ୍ରେମକାନ୍ତ ମହାନ୍ତି, ଖୋର୍ଦ୍ଧା ବୋଲଗଡ ଅଞ୍ଚଳର ବାସନ୍ତୀ ସାହୁ ଓ ବାଲିପାଟଣା ବ୍ଲକ ଅଠାନୁର ଅଞ୍ଚଳର ପ୍ରଭାତୀ ଦାସ ବୋଲି ଜଣାପଡ଼ିଛି । ରାତି ଦୁଇଟା ବେଳକୁ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ବଢିଚାଲିଥିବା ବେଳେ ଠାକୁରଙ୍କ ପହୁଡ ପଡିଥିଲା । ମହାପ୍ରଭୁଙ୍କ ପହଡ କେତେବେଳେ ଖୋଲିବ, ପ୍ରଶାସନ ପକ୍ଷରୁ କୌଣସି ସୂଚନା ନ ଥିଲା । ଆଉ ଯେତେବେଳେ ପହଡ଼ ଖୋଲିଲା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଠେଲାପେଲା । ଭକ୍ତମାନେ ଗୋଟିଏ ରଥ ପାଖରୁ ଅନ୍ୟ ରଥପାଖକୁ ଯିବା ଆସିବା ଆରମ୍ଭ କରିଥିଲେ । ଏହି ସମୟରେ ଚାରମାଳ କାଠ ଭର୍ତ୍ତି ଏକ ଟ୍ରକ୍ ଭିଡ଼ ଭିତରେ ପଶିଥିଲା ଏବଂ ଚାରମାଳ ରଖାଯାଇଥିଲା । ଏହା ସ୍ଥିତିକୁ ଅଧିକ ଅସମ୍ଭାଳ କରିଦେଇଥିଲା । ଚାରମାଳ ଟ୍ରକ ପଶିବା ପରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ବଢିଯାଇଥିଲା । ଫଳରେ କିଛି ଭକ୍ତ ତଳେ ପଡ଼ିଯାଇଥିଲେ । ତଳେ ପଡିଯାଇଥିବା ଭକ୍ତଙ୍କ ଉପରେ ଲୋକେ ଚଢି ଚାଲିଗଲେ । ଦଳାଚକଟାରେ ତିନିଜଣ ଭକ୍ତଙ୍କ ଜୀବନ ଚାଲିଗଲା । ଆହତ ହୋଇଥିବା ଭକ୍ତ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି, ରଥଟଣା ବେଳେ ନୁହେଁ, ଗୁଣ୍ଡିଚା ମନ୍ଦିର ଆଗରେ ଦଳଚକଟାରେ ଭକ୍ତଙ୍କ ଜୀବନ ଚାଲିଯିବା ପ୍ରଥମ ଘଟଣା । ଭିଡ ନିୟନ୍ତ୍ରଣ ପାଇଁ ବିଳମ୍ବିତ ରାତିରେ ତିନି ରଥ ଆଗରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, କୌଣସି ପୋଲିସ କି ସୁରକ୍ଷା କର୍ମଚାରୀ ଭିଡ ନିୟନ୍ତ୍ରଣ ପାଇଁ ନ ଥିଲେ । ତିନିରଥ ପାଖକୁ ଶହ ଶହ ଭକ୍ତ ଆସୁଥିବା ବେଳେ ଭିଡ ନିୟନ୍ତ୍ରଣ କରିବା ପାଇଁ କିଛି ଶୃଙ୍ଖଳା ନ ଥିଲା । ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ତିନି ଭକ୍ତଙ୍କ ଜୀବନ ଚାଲିଗଲା ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖପ୍ରକାଶ କରିବା ସହ ମୃତାହତଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି ଅବହେଳା ଅକ୍ଷମଣୀୟ ଏବଂ ସୁରକ୍ଷା ଜନିତ ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।













