ପୁରୀ : ଗୁଣ୍ଡିଚା ମନ୍ଦିର ସାମନାରେ ଦଳାଚକଟାରେ ତିନିଜଣ ଭକ୍ତଙ୍କ ମୃତ୍ୟୁ ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହିତ କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଯାଇଛି । ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନୂତନ ଏସ୍ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ୍ ଅଜୟ ପାଢୀଙ୍କୁ ମଧ୍ୟ ଦାୟିତ୍ବରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଛି । ଏହା ଅକ୍ଷମଣୀୟ ଅପରାଧ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି । ଦଳାଚକଟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ପଚିଶ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।













