ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ଚେତାବନୀ ପରେ ଚାରିଧାମ ଯାତ୍ରାକୁ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ଜୁନ୍ ୨୯ ରୁ ଜୁଲାଇ ୧ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଉତ୍ତରାଖଣ୍ଡରେ ଥିବା ଚାରିଧାମ ଗଙ୍ଗୋତ୍ରୀ , ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ପାଣିପାଗ ବିଭାଗ ଜୁନ୍ ୨୯ ରୁ ଜୁଲାଇ ୧ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି କରିଛି । ବର୍ଷା ପାଇଁ ଏଠାରେ ପୂର୍ବରୁ ଅନେକ ଭୂସ୍ଖଳନ ହୋଇଛି । ଏହି କାରଣରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । କିଛି ଲୋକ ଏବେ ବି ନିଖୋଜ ଅଛନ୍ତି, ସେମାନଙ୍କ ଖୋଜା ଖୋଜି ଜାରି ରହିଛି । ଏପରି ପରିସ୍ଥିତିରେ, ପ୍ରବଳ ବର୍ଷା ସତର୍କତା ଯୋଗୁଁ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି । ପାଗ ସ୍ୱାଭାବିକ ହେବା ପରେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତଥାପି ଆଗାମୀ ତିନି ଦିନ ପାଇଁ ଏଠାକାର ପାଗ ଖରାପ ରହିପାରେ ବୋଲି ଆକଳନ କରାଯାଇଛି ।













