ଭୁବନେଶ୍ବର : ସରଳ, ନିଷ୍କପଟ, ଆଦିବାସୀ ନେତା ମୋହନ ମାଝୀ । ମାତ୍ର ରାଜନୀତି ପଶାପାଲିରେ ଏସବୁ ଅର୍ଥହୀନ । ରାଜନୀତି କରିବାକୁ ହେଲେ ମଗଜ ଲଗେଇବାକୁ ହେବ । କାହାର ଚେର କେମିତି କଟା ହେବ ଏବଂ କେମିତି କାହାର ଗୋହି ଖୋଳା ହେବ, ସେଥିପାଇଁ ମୁଣ୍ଡ ଖଟେଇବାକୁ ପଡିବ । ସିଂହାସନରେ ବସେଇଥିବା ଲୋକେ ସିଂହାସନରୁ କାଢି ଫୋପାଡିବାକୁ ଷଡଯନ୍ତ୍ର କରିବେ । ବଦନାମ କରିବେ । ଏବେ ଏମିତି ଷଡଯନ୍ତ୍ର ଭିତରେ ଫସି ରହିଛନ୍ତି ମୋହନ ମାଝୀ । ସେ ମୁଖ୍ୟମନ୍ତ୍ରୀ ହେଲେ ବି ସରକାର ତାଙ୍କ ନିୟନ୍ତ୍ରଣରେ ନାହିଁ । ମନ୍ତ୍ରୀମାନେ ତାଙ୍କ ନିୟନ୍ତ୍ରଣରେ ନାହାନ୍ତି । ବ୍ୟୁରୋକ୍ରାଟମାନେ ତ ତାଙ୍କ ପରିଚୟ ଭୁଲି ଯାଇଛନ୍ତି ଯେ ସେମାନେ ବ୍ୟୁରୋକ୍ରାଟ ବୋଲି । ଏମିତି ସ୍ଥିତିରେ କାହାକୁ ନେଇ ଶାସନ କରିବେ ମୋହନ । ଯେଉଁମାନେ ମୋହନଙ୍କୁ ଗାଦିରେ ବସାଇଥିଲେ, ସେମାନେ ଭାବିଥିଲେ ମୋହନ ନାମମାତ୍ରକୁ ରହିବେ । ଶାସନ କରିବେ ସେମାନେ । ଆଦିବାସୀ ନେତା ଆଗରୁ ଯେମିତି ରହୁଥିଲେ, ସେମିତି ସେମାନଙ୍କ ବୋଲକରା ସାଜିବେ । ସରକାର ହେଲା ପରଠୁ ସେମିତି କିଛି ଚାଲିଥିଲା ସରକାରରେ । ମୋହନ ନୁହଁନ୍ତି, ଅନ୍ୟର ଇସାରାରେ ସଚିବଙ୍କୁ ବିଭାଗ ମିଳୁଥିଲା । ଆଇଏଏସ, ଆଇପିଏସଙ୍କୁ ଦାୟିତ୍ବ ଦିଆଯାଇଥିଲା । ସରକାର ତାଙ୍କ ହାତ ମୁଠାରେ ରଖିବାକୁ ପ୍ରୟାସ ହୋଇଥିଲା । ଯେତେବେଳେ ମୋହନ ନିଜେ ଲଗାମ ଧରିବାକୁ ଚାହିଁଲେ, ଦୃଶ୍ୟ ବଦଳିଗଲା । ମୋହନଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର । ବାହାର ଷଡଯନ୍ତ୍ରକାରୀଙ୍କଠୁ ଦଳ ଭିତରେ ଷଡଯନ୍ତ୍ରକାରୀ ଅଧିକ ମାରାତ୍ମକ । ଜଗା ପ୍ରଧାନ ପ୍ରସଙ୍ଗ ମଧ୍ୟ ଷଡଯନ୍ତ୍ରାକରୀଙ୍କ ରଚନା । ତଣ୍ଟିରେ ଅଟକିଥିବା କଣ୍ଟା ନା କାଢିପାରୁଛନ୍ତି, ନା ଗିଳି ପାରୁଛନ୍ତି । ବିଜେପି ଦଳ ଭିତରେ ସରକାରକୁ ନେଇ ଭୟଙ୍କର ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ମୋହନ ଚାହିଁଲେ ବି କିଛି କରିପାରିବେନି । ମନ୍ତ୍ରୀମଣ୍ଡଳ ଅଦଳବଦଳ କରିପାରିବେନି କି କାହା ତୁଣ୍ଡରେ ଲଗାମ ଦେଇପାରିବେନି । ଏବେ ସରକାର ଓ ଦଳ ଅଲଗା ରାସ୍ତାରେ ।













