ଶ୍ରେଷ୍ଠ କୃଷି ରାଜ୍ୟ ପୁରସ୍କାର ପାଇଲା ଓଡ଼ିଶା । ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡରସିପ୍ ପୁରସ୍କାରରେ ସମ୍ମାନିତ ହୋଇଛି ଓଡ଼ିଶା । କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର ଲିଡରସିପ୍ କନକ୍ଲେଭରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଏକ ଭବ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ତଥା ପୁରସ୍କାର କମିଟିର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ପି. ସଥାଶିବମ୍ ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଓଡ଼ିଶା ୧୨୧.୮୨ ମେଟ୍ରିକ ଟନ୍ ଉଦ୍ୟାନଜାତୀୟ ଉତ୍ପାଦ ଯଥା ଡ୍ରାଗନ୍ ଫଳ, କାଜୁ, ଆମ୍ବ ଓ ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ-ପୂର୍ବ ଦେଶ ଯେପରିକି ୟୁଏଇ, କତାର, ଇଂଲଣ୍ଡ, ଆୟରଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲୀ, ସ୍ୱିଡେନ, ବେଲଜିୟମ, ପୋଲାଣ୍ଡ ଓ ଜର୍ମାନୀକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର, କୋଲକାତା ମାଧ୍ୟମରେ ରପ୍ତାନି କରିଛି । ସବୁ ପ୍ରକାର ଫଳ ଉତ୍ପାଦନ ଦୃଷ୍ଟିରୁ ଓଡ଼ିଶା ଭାରତରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ, କନ୍ଦମୂଳ ଉତ୍ପାଦନରେ ପ୍ରଥମ ସ୍ଥାନ, ପାଳ ଛତୁ ଉତ୍ପାଦନରେ ପ୍ରଥମ ସ୍ଥାନ, ବାଇଗଣ, ବନ୍ଧାକୋବିରେ ଦେଶରେ ଦ୍ୱିତୀୟ ସ୍ଥାନରେ, କାଜୁ-ବାଦାମରେ ତୃତୀୟ ସ୍ଥାନ, ଫୁଲକୋବି, ଭେଣ୍ଡି ,ଟମାଟୋ, ଲେମ୍ବୁ ଓ ନଡ଼ିଆ ଉତ୍ପାଦନରେ ୫ମ ସ୍ଥାନରେ ରହିଛି ।














