ରାଜ୍ୟରେ ଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭର ଙ୍କ ଆନ୍ଦୋଳନ|ଯେଉଁଥି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓଡ଼ିଶାବାସୀ । ସରକାରଙ୍କ ସହ ଆଲୋଚନାରୁ ବାହାରିପାରିଲାନି କୌଣସି ନିଷ୍କର୍ସ । ଦାବି ପୂରଣ ନେଇ ଜିଦରେ ଅଟଳ ଡ୍ରାଇଭର ମହାସଂଘ । ଆନ୍ଦୋଳନ ଯୋଗୁ ଆସିପାରୁନି ପେଟ୍ରୋଲ, ଡିଜେଲ ଟ୍ୟାଙ୍କର । ତେଲ ଶେଷ ହେବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପେଟ୍ରୋଲ – ଡିଜେଲ ସମସ୍ୟା ନାହିଁ ।
ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର । ପୁଇଁନ୍ତଳା ଅଞ୍ଚଳ ପେଟ୍ରୋଲ ପମ୍ପ ଗୁଡ଼ିକରେ ଶେଷ ହୋଇଗଲାଣି ତେଲ । ଯେଉଁଥିପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ ।
୪ ଦିନ ହେଲା ଜାରି ରହିଛି ଡ୍ରାଇଭର ମହାସଂଘର ଆନ୍ଦୋଳନ। ରାଜ୍ୟ ସରକାର ଡ୍ରାଇଭର ମାନଙ୍କ ଦାବି ଉପରେ କଣ ବିଚାର କରିବେ ଏବଂ ଡ୍ରାଇଭର ମହାସଂଘ ଆନ୍ଦୋଳନରୁ କେବେ ଓହରିବ ତାହା ଉପରେ ସମସ୍ତଙ୍କ ନଜର ।
ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନକୁ ବିରୋଧ କରିବା ପାଇଁ ରାଜ୍ୟବାସୀଙ୍କୁ ହଇରାଣ କରୁଛନ୍ତି ମୋହନ ସରକାର । ଡ୍ରାଇଭର ଆନ୍ଦୋଳନକୁ ନେଇ ବିଜେପି ସରକାର ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି, ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ କେହି ରୋକି ପାରିବେ ନାହିଁ ।














