ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା । କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପୀଡିତା ଅଭିଯୋଗ ଜଣାଇବା ସତ୍ତ୍ୱେ ତାଙ୍କୁ ନ୍ୟାୟ ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ନବୀନ କହିଛନ୍ତି । କାହା ପାଖରୁ ନ୍ୟାୟ ନ ମିିଳିବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ଆରୋଗ୍ୟ କାମନା କରିଛନ୍ତି । ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ପୀଡିତାଙ୍କୁ ନ୍ୟାୟ ଦେଇ ନ ଥିବାରୁ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟପାଳ ବିଶ୍ବବିଦ୍ୟାଳୟ କୁଳାଧିପତି ହୋଇଥିବାରୁ ଘଟଣାରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସାରେ ନିୟୋଜିତ ରହିଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ବିଶେଷ କିଛି ଉନ୍ନତି ପରିଲକ୍ଷିତ ହେଉ ନ ଥିବା ଏବଂ ଆସନ୍ତା 48 ଘଣ୍ଟା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ଅଧିକ୍ଷକ ସୂଚନା ଦେଇଛନ୍ତି । ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହିତ ସହକାରୀ ପ୍ରଫେସର ଶ୍ରୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here