ଭୁବନେଶ୍ବର – ବାଲେଶ୍ବର ଏଫଏମକଲେଜ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହୁଛନ୍ତି, ସରକାର ଅପରାଧୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କଠୋରରୁ ଅତି କଠୋର ଶାସ୍ତି ଦିଆଯିବ । ମୁଖ୍ୟ ଅଭିଯୁକ୍ତ ବିଭାଗୀୟ ମୁଖ୍ୟ ସମୀର ସାହୁ ଓ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇସାରିଛି । ଏ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୀଡିତା ଥାନାର ଦ୍ବାରସ୍ଥ ହୋଇଥିଲେ, ମାତ୍ର ଥାନା ବାବୁ ପୀଡିତାଙ୍କ ଗୁହାରୀ ଶୁଣିଲେନି । ଏତଲା ଦାୟର କଲେନି । ତାଙ୍କୁ କାହିଁକି ଗିରଫ କରାଯାଇନି ? ସେ ଦୋଷୀ ନୁହଁନ୍ତି କି ? ଥାନା ଆଇଆଇସି ଶୁଣିଲେନି ବୋଲି ଜିଲ୍ଲା ମୁଖିଆଙ୍କୁ ଗୁହାରୀ କରିଥିଲେ ପୀଡିତା । ସେ ବି ଅଣଦେଖା କଲେ । ତାଙ୍କ ବିରୋଧରେ ସରକାର କି ଆକ୍ସନ ନେଲେ ? ଜିଲ୍ଲା ପୋଲିସର ଅଣଦେଖା ବିରୋଧରେ ବିଭାଗୀୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ପୀଡିତା ଜଣାଇଥିଲେ । ସେ ବି ଶୁଣିଲେନି । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଏମିତି ଢଙ୍ଗରେ ଯଦି ସରକାର ଅଣଦେଖା କରିବେ, ପୀଡିତା ଆତ୍ମହତ୍ୟା କରିବେନି ତ, ଆଉ କଣ କରିବେ ? ପୀଡିତାଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ ହେଲେ ବୋଲି ପୀଡିତା ଆତ୍ମହତ୍ୟା ଭଳି ଚରମପନ୍ଥାକୁ ଆପଣେଇ ନେଲେ । ବିଭାଗୀୟ ମୁଖ୍ୟଙ୍କଠୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ପୀଡିତା ଯେଉଁମାନଙ୍କୁ ଗୁହାରୀ କରିଛନ୍ତି, ସମସ୍ତେ ତାଙ୍କ ମୃତ୍ୟୁ ପାଇଁ ଦାୟୀ । ଦାୟିତ୍ବରେ ଖିଲାଫ କରିଥିବା ଏ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

LEAVE A REPLY

Please enter your comment!
Please enter your name here