ଭାରତ ସରକାର ୫ ବର୍ଷର ଲମ୍ବା ସମୟ ପରେ ଚୀନ ନାଗରିକଙ୍କୁ ପର୍ଯ୍ୟଟକ ଭିସା ଜାରି କରିବାକୁ ଘୋଷଣା କରିଛନ୍ତି । ଏହି ପ୍ରକ୍ରିୟା ୨୦୨୫ ଜୁଲାଇ ୨୪ରୁ ପୁଣି ଥରେ ଆରମ୍ଭ ହେବ । ବେଜିଂ ସ୍ଥିତ ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି । ଉଲ୍ଲେଖନୀୟ ୨୦୨୦ ମାର୍ଚ୍ଚରେ କୋଭିଡ୍‌-୧୯ ମହାମାରୀ ସମୟରେ ସଂକ୍ରମଣ ରୋକିବା ପାଇଁ ଭାରତ ସବୁ ପ୍ରକାରର ପର୍ଯ୍ୟଟକ ଭିସା ରଦ୍ଦ କରିଥିଲା । ଏହା ପରଠୁ ଚୀନ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଥିଲା ।

ଦୂତାବାସ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବେଜିଂ ସ୍ଥିତ ଭାରତୀୟ ଭିସା କେନ୍ଦ୍ରରେ ପାସପୋର୍ଟ ଫେରାଇବା ପାଇଁ ଆବେଦନ ଉପରେ ଏକ ବିଧିବଦ୍ଧ ପାସପୋର୍ଟ ୱିଥଡ୍ରଲ ଲେଟର ବାଧ୍ୟତାମୂଳକ ରହିବ । କୋଭିଡ୍‌-୧୯ ମହାମାରୀ ଓ ୨୦୨୦ ଜୁନରେ ଗଲୱାଲ ଘାଟିରେ ଭାରତ-ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଯାତ୍ରା ଓ ପାରସ୍ପରିକ ସଂପର୍କ ସଂପୂର୍ଣ୍ଣ ଠପ୍ ହୋଇ ପଡିଥିଲା । ଗତ ବର୍ଷ ଚୀନ ଭାରତୀୟ ଛାତ୍ର ଓ ଉଦ୍ୟୋଗପତିଙ୍କୁ ଭିସା ଦେବା ଆରମ୍ଭ କରିଥିଲା, ମାତ୍ର ସାଧାରଣ ଯାତ୍ରା ଉପରେ କଟକଣା ଜାରି ରହିଥିଲା ।୨୦୨୪ ଅକ୍ଟୋବରରେ ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ମଧ୍ୟ ସେନା ପ୍ରତ୍ୟାହାର ନେଇ ରାଜିନାମା ହୋଇଥିଲା । ଏହାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷର କଜାନଠାରେ ବୈଠକ କରିଥିଲେ । ଏଥିରେ ଦ୍ୱିପାକ୍ଷିକ ସଂପର୍କକୁ ଟ୍ରାକକୁ ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here