ସମ୍ବଲପୁର ବୁର୍ଲା ଭୀମସାର (Veer Surendra Sai Institute of Medical Sciences and Research) ହସ୍ପିଟାଲରେ ଆଜି ଗୁରୁତର ଅଘଟଣ ଘଟିଛି। ଏଠାରେ ଜଣେ ରୋଗୀ ମେଡିକାଲର ପ୍ରଥମ ମହଲାରୁ ଡେଇଁ, ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଘଟଣା ସ୍ଥଳରେ ଉପସ୍ଥିତ ଲୋକମାନଙ୍କ କହିବା ଅନୁସାରେ, ଆହତ ବ୍ୟକ୍ତିଙ୍କ ପରିଚୟ ବରଗଡ଼ ଜିଲ୍ଲାର ବିଜେପୁର ଥାନା ଅଧିନସ୍ଥ ଭାଟିଗାଓଁର ବସିନ୍ଦା ସୁବୀର ସରିଦାର ବୋଲି ଜଣାପଡ଼ିଛି। ସେ କିଛିଦିନ ଧରି ଏହି ହସ୍ପିଟାଲରେ ଭର୍ଜିଥିବା ସୂଚନା ମିଳିଛି, କିନ୍ତୁ ସେ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଘଟଣା ପରେ, ତୁରନ୍ତ ହସ୍ପିଟାଲର ସୁରକ୍ଷା କର୍ମୀ ଓ ଡ୍ୟୁଟିରେ ଥିବା ମେଡିକାଲ ଟିମ୍ ତାଙ୍କୁ ଉଦ୍ଧାର କରି, ଭିମସାରର କାଜୁଆଲଟି ୱାର୍ଡକୁ ନେଇଥିଲେ। ଡାକ୍ତର କହିଛନ୍ତି ଯେ, ସୁବୀରଙ୍କ ଅବସ୍ଥା ଗୁରୁତର ।
ପୁଲିସ ସୂତ୍ର ଅନୁସାରେ, ସମ୍ପୂର୍ଣ୍ଣ ଘଟଣା ଉପରେ ତଦନ୍ତ ଆରମ୍ଭ ହୋଇଛି। ସୁବୀର ସରିଦାର କିପରି ଓ କାହିଁକି ପ୍ରଥମ ମହଲାରୁ ଡେଇଲେ, ସେଥିପାଇଁ CCTV ଫୁଟେଜ ମଧ୍ୟ ଚେକ କରା ଯାଉଛି।














