କିଛି ମାସ ଧରି ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଛି ଉତ୍ତେଜନା । ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ଆହୁରି ଖରାପ ହୋଇଛି। ପହଲଗାମ ଆକ୍ରମଣର ଜବାବ ଦେବା ପାଇଁ ପାକିସ୍ତାନ ବିରୋଧରେ ଭାରତ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । କେବଳ ଅପରେସନ ସିନ୍ଦୂର ନୁହେଁ ପାକିସ୍ତାନ ବିରୋଧରେ ଆହୁରି କଡ଼ା ଆକ୍ସନ ମଧ୍ୟ ନେଇଥିଲା ଭାରତ । ଭାରତ ଗତ ସାତ ଦଶନ୍ଧି ଧରି ଚାଲି ଆସୁଥିବା ସିନ୍ଧୁ ଜଳ ଚୁକ୍ତିକୁ ମଧ୍ୟ ଏପ୍ରିଲ ୨୦୨୫ରେ ସ୍ଥାୟୀ ଭାବରେ ସ୍ଥଗିତ ରଖିଥିଲା । ଏହା ଅଧୀନରେ, ଭାରତ ଆଉ ପାକିସ୍ତାନକୁ ଜଳ ପ୍ରବାହ ତଥ୍ୟ ଏବଂ ବୈଷୟିକ ସୂଚନା ଦେବାକୁ ବାଧ୍ୟ ନୁହେଁ । ୧୯୬୦ରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଏବଂ ଏହା ସେବେଠାରୁ ଚାଲୁଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣ ଯୋଗୁଁ, ଭାରତ କଠୋରତା ଦେଖାଇ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା । ଆଉ ଏବେ ଭାରତ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପାକିସ୍ତାନ ସହ ଏହି ବିଷୟରେ ଯୋଗଯୋଗ କରିଛି । ତାହା ପୁଣି ଏକ ସତର୍କ ସୂଚନା ଦେବା ପାଇଁ । ସୂଚନା ଅନୁଯାୟୀ, ଭାରତୀୟ ହାଇକମିଶନ ଇସଲାମାବାଦକୁ ଜଣାଇଥିଲା ଯେ ଜମ୍ମୁର ତାୱି ନଦୀରେ ପ୍ରବଳ ବନ୍ୟା ଆସିବାର ସମ୍ଭାବନା ଅଛି, ଯାହା ପାକିସ୍ତାନରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇପାରେ। ଭାରତରୁ ଏହି ସୂଚନା ପାଇବା ପରେ, ପାକିସ୍ତାନ ବନ୍ୟା ଚେତାବନୀ ଜାରି କରି ଲୋକଙ୍କୁ ସତର୍କ ରହିବାକୁ କହିଛି । ଏହା ସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଥିବା ସତ୍ତ୍ୱେ, ସାଧାରଣ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଭାରତ ପାକିସ୍ତାନକୁ ବନ୍ୟା ସତର୍କତା ପଠାଇଛି। ଯାହାକି ଭାରତର ବଡ଼ପଣର ପରିଚୟ। ଏହି ଘଟଣା ପରେ ପୁଣି ଥରେ ପ୍ରମାଣିତ ହୋଇଛି ଯେ, ଭାରତ ସବୁବେଳେ ତା’ର ପଡ଼ୋଶୀମାନଙ୍କ ପାଇଁ ବଡ ହୃଦୟ ରଖେ ।














