ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣିଥରେ ଦିଲ୍ଲୀ ଗସ୍ତ କରିଛନ୍ତି। ଶନିବାର ରାତିରେ ସେ ଦିଲ୍ଲୀ ପହଞ୍ଚିଥିଲେ। କେବଳ ଏକ ଦିନ ପୂର୍ବରୁ ସେ ଦିଲ୍ଲୀରୁ ଫେରିଥିବାରୁ, ଏହି ପୁନଃଗସ୍ତକୁ ନେଇ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ରାଜ୍ୟ କମିଟି ଓ ବିଭିନ୍ନ ବୋର୍ଡ ନିଯୁକ୍ତିକୁ ନେଇ ସେଥିରେ ଆଲୋଚନା ହେବାର ସୂଚନା ମିଳିଛି। ଅନ୍ୟପଟେ ଦିଲ୍ଲୀ ଯାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ବିଜେଡ଼ି ସାଂସଦ ମାନଙ୍କ ସହ ସେ ଆଲୋଚନା କରିବେ। ଗତକାଲି ବିଜେଡି ପିଏସି ସଦସ୍ୟଙ୍କ ସହିତ ନବୀନ ପଟ୍ଟନାୟକ ନିଜ ନିବାସରେ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ଦଳର ଆଭିମୁଖ୍ୟ ନେଇ ନବୀନ ପଟ୍ଟନାୟକ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ । ଏସବୁ ଭିତରେ ବିଜେଡିର ଆଭିମୁଖ୍ୟ କଣ ରହିବ। ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି । ଉଭୟ ନେତାଙ୍କ ଦିଲ୍ଲୀ ଗସ୍ତ ନେଇ ରାଜ୍ୟ ରାଜନୀତି ସହ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।














