କାଶୀରେ ମରିସସ୍ ପ୍ରଧାନମନ୍ତ୍ରୀ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ଏହା ସମୟରେ ଭାରତ ୨୧୫ ମିଲିୟନ୍ ଡଲାରର ସହାୟତା ଘୋଷଣା କରିଛି। ମୋଦି ସ୍ପଷ୍ଟ କରିଛନ୍ତି ଯେ, ଏହା କେବଳ ସହାୟତା ନୁହେଁ, ବରଂ ମରିସସରେ ଭାରତର ବଡ଼ ପୁଞ୍ଜି ନିବେଶ। ସେ କହିଛନ୍ତି, ଏହି ପଦକ୍ଷେପର ସୁଫଳ ଦୁଇ ଦେଶ ଆଗାମୀ ଦିନରେ ଭୋଗ କରିବ। ଭାରତ ଓ ମରିସସ୍ ଦୁଇଟି ଦେଶ ହେଲେ ମଧ୍ୟ ଗୋଟିଏ ସ୍ଵପ୍ନ ଓ ଲକ୍ଷ୍ୟ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜ୍ଞାନ ଓ ପ୍ରଯୁକ୍ତି, ବରିଷ୍ଠ ଅଧିକାରୀଙ୍କୁ ତାଲିମ୍ କ୍ଷେତ୍ରରେ ସ୍ଵାକ୍ଷରିତ ହୋଇଛି ରାଜିନାମା । ଶକ୍ତି ସୁରକ୍ଷା ହେଉଛି ଦ୍ଵିପାକ୍ଷିକ ସମ୍ପର୍କର ଏକ ଅଭିନ୍ନ ଅଙ୍ଗ । ପ୍ରଥମଥର ପାଇଁ ଭାରତ ବାହାରେ ମରିସସରେ ଜନ ଔଷଧୀ କେନ୍ଦ୍ର ଖୋଲାଯିବ । ଆଇଆଇଟି ମାଦ୍ରାସ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଣ୍ଟେସନ ମ୍ୟାନେଜମେଣ୍ଟ ପକ୍ଷରୁ ୟୁନିଭର୍ସିଟି ଅଫ୍ ମରିସସ୍ ସହ ସ୍ଵାକ୍ଷରିତ ହୋଇଛି ରାଜିନାମା । ପୂର୍ବରୁ ନୂଆଦିଲ୍ଲୀରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା ହେଉଥିବା ବେଳେ ପ୍ରଥମଥର ପାଇଁ ଆଧ୍ୟାତ୍ମିକ ସହର କାଶୀରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ନିର୍ବାଚନ ମଣ୍ଡଳୀ ବାରାଣସୀରେ ନଭିଚନ୍ଦ୍ର ରାମଗୁଲାମଙ୍କୁ ଅତିଥି ଭାବେ ପାଇ ସେ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି । ଦୁଇ ଦେଶ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ ପାଇଁ ମଧ୍ୟ ଆଲୋଚନା ହେଇଛି।














