ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ତାଲିକାରେ ଅନ୍ତର୍ଭୁକ୍ତିକରଣ ଦାବିରେ ଚାଲିଥିବା ଆନ୍ଦୋଳନରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଜଣେ କଂଗ୍ରେସ କାଉନସିଲରଙ୍କ ସମେତ ୫୦ ଜଣଙ୍କୁ ଅଟକ ଗିରଫ କରିଛି । ମାମଲାରେ ଗିରଫଦାରୀ ସଂଖ୍ୟା ଆଗକୁ ମଧ୍ୟ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ହିଂସାକୁ ଉସୁକାଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପରାଜ୍ୟପାଳ ପୋଲିସକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି। ଲେହରେ କର୍ଫ୍ୟୁ ଜାରି କରାଯାଇଛି । ଉତ୍ତେଜନାକୁ ରୋକିବା ପାଇଁ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ସେହିପରି ଇଣ୍ଟରନେଟ୍ ସେବା ଉପରେ କଟକଣା ଜାରି କରାଯାଇଛି । କର୍ଫ୍ୟୁ ନିର୍ଦ୍ଦେଶ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଚେତାବନୀ ଦେଇଛି । ଲଦାଖର ଉପରାଜ୍ୟପାଳ କବିନ୍ଦର ଗୁପ୍ତା ଲେହରେ ହୋଇଥିବା ହିଂସାକୁ କଡ଼ା ନିନ୍ଦା କରିଛନ୍ତି। ବିକ୍ଷୋଭ ସମୟରେ ଅନେକ ସାଧାରଣ ନାଗରିକ ଓ ସୁରକ୍ଷାକର୍ମୀ ମୃତ୍ୟୁ ଓ ଆହତ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରଙ୍କୁ ସମବେଦନା ଓ ଆହତମାନଙ୍କ ସ୍ୱାସ୍ଥ୍ୟଲାଭ ପାଇଁ ସେ ପ୍ରାର୍ଥନା କରିଛନ୍ତି। ସେ ପ୍ରଶାସନ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଯେକୌଣସି ପ୍ରକାରର ହିଂସା ଗ୍ରହଣୀୟ ନୁହେଁ ଏବଂ କୌଣସି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବ ନାହିଁ । ଉପ ରାଜ୍ୟପାଳ କହିଛନ୍ତି ଯେ ଏହି ହୃଦୟବିଦାରକ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରାଯିବ ଏବଂ ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଲଦାଖ ହିଂସାରେ ଚାରିଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୩୦ ପୋଲିସ ଓ ସିଆରପିଏଫ ସହ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ବିଜେପି କାର୍ଯ୍ୟାଳୟକୁ ଜଳାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଲଦାଖରେ ଜେନ-ଜିଙ୍କୁ ଉସକାଇ ନେପାଳ ପରିସ୍ଥିତି କରିବାକୁ ଯୋଜନା କରୁଛନ୍ତି ।













