ଭୁବନେଶ୍ବରରେ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜଡିତ କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା ସମ୍ପର୍କରେ ଆଉ କେଉଁମାନେ ଜଡିତ ଅଛନ୍ତି, ତାହା ଖୋଜିବା ପାଇଁ କମିଶନରେଟ୍ ପୁଲିସ ତଦନ୍ତ ଜାରି ରଖିଛି।ଏହି ମଧ୍ୟରେ ଆଜି ଝାଡ଼ଖଣ୍ଡ ଚାଇଲଡ୍ କମିସନ ଦଳ କ୍ୟାପିଟାଲ ଥାନା ଓ ହସ୍ପିଟାଲରେ ଯାଇ ଘଟଣା ବିଷୟରେ ଆଲୋଚନା କରିଛି। ଝାଡ଼ଖଣ୍ଡ ଚାଇଲଡ କମିସନଙ୍କ ୩ ଜଣ ସଦସ୍ୟ ଏବଂ ଓଡିଶା ଚାଇଲଡ କମିସନ ମେମ୍ବର ସୁଜାତା ନାୟକ ଓ କ୍ୟାପିଟାଲ ଥାନା ପୁଲିସ ସହ ଗୁରୁତ୍ୱପୂର୍ଣ ଆଲୋଚନା କରିଛନ୍ତି। ଏହି ଟିମ୍ ନାବାଳିକା ରହୁଥିବା ଗୃହକୁ ଯାଇ ପଚରାଉଚୁରା କରିଛନ୍ତି । ନାବାଳିକା ପୀଡ଼ିତାଙ୍କ ବୟାନ ରେକେର୍ଡ କରିବା ସହ ଝାଡ଼ଖଣ୍ଡ ଟିମ ସମସ୍ତ ରେକର୍ଡ କ୍ୟାପିଟାଲ ଥାନା ପୁଲିସ ଠାରୁ ନେଇଥିବା ସୂଚନା ମିଳିଛି ।
କମିସନରେଟ୍ ପୁଲିସ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସଞ୍ଜୀବ ଦାସଙ୍କ ତିନିମହଲା କୋଠା ଯାଜ୍ଞସେନୀ ‘ନିବାସ’କୁ ବେଶ୍ୟାଳୟ ଘୋଷଣା କରିଛି। ଏହି ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସଞ୍ଜୀବଙ୍କୁ ପୁଲିସ ମାରାଥନ୍ ଜେରା କରିଛି। ପୁଲିସକୁ ଭୁଆଁ ବୁଲାଇବାକୁ ସଞ୍ଜୀବ ଚେଷ୍ଟା କରିଥିଲା। କିନ୍ତୁ ସମସ୍ତ ତଥ୍ୟ ଆଧାରରେ ପୁଲିସ ଏହି ଘରକୁ ବେଶ୍ୟାଳୟ ଘୋଷଣା କରିଛି ।ସେକ୍ସ ରାକେଟ୍ ମାମଲାର ମାଷ୍ଟରମାଇଣ୍ଡ ବାରିକ ଏପର୍ଯ୍ୟନ୍ତ ପୁଲିସ ହାତକୁ ଆସିନାହିଁ। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ସେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର କିଛି ଦଲାଲ ସହିତ ନିୟମିତ ଯୋଗାଯୋଗ ରଖୁଥିଲେ। ଅଧିକ ଅର୍ଥ ଦେଇ ବାରିକ ସେମାନଙ୍କ ମାଧ୍ୟମରେ ଯୁବତୀଙ୍କୁ ଓଡ଼ିଶା ଆଣି, ଚାକିରି ନାଁରେ ଫସାଇ ସେକ୍ସ ରାକେଟ୍ରେ ଲଗାଉଥିଲେ। ଏହି ଅପରାକ ଜାଲର ମୁଖ୍ୟ ସହଯୋଗୀ ମଞ୍ଜୁ ଓ ମମତା ଥିବା ତଥ୍ୟ ମିଳିଛି। ସେମାନେ ମଧ୍ୟ ଅଣଓଡ଼ିଆ ଦଲାଲଙ୍କ ସହ ଲିଙ୍କ୍ ରଖୁଥିଲେ। ବାରିକ ଗିରଫ ହେଲେ ଏହି ବଡ଼ ରାକେଟ୍ର ଅନେକ ଗୁପ୍ତ କଥା ଖୋଲିବ ବୋଲି ଅନୁମାନ କରାଯାଉଛି।













