କୁର୍ଣ୍ଣୁଲରେ ଏକ ଘରୋଇ ବସ୍ 44 ନମ୍ବର ଜାତୀୟ ରାଜପଥରେ ଜଳିଗଲା। ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବସରେ 41 ଯାତ୍ରୀ ଥିଲେ। ବସଟି ଏକ ବାଇକ ସହ ଧକ୍କା ହେବାରୁ ନିଆଁ ଲାଗିଯିବା ଫଳରେ 20 ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।ପୋଲିସର ସୂଚନା ଅନୁଯାୟୀ, ବସଟି ଗତକାଲି ରାତି 10.30ରୁ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ବାହାରିଥିଲା । ଶୁକ୍ରବାର ଭୋର ସମୟ ପ୍ରାୟ 3.30ରେ ଘଟିଛି ଏହି ଅଘଟଣ । କର୍ଣ୍ଣୁଲର ସହର ଉପକଣ୍ଠ ଉଲିଣ୍ଡାକୋଣ୍ଡା ପଟୁ ଆସୁଥିବା ଏକ ବାଇକ ବସ୍‌କୁ ଧକ୍କା ଦେଇଥିଲା । ତେଲ ଟାଙ୍କିରେ ଧକ୍କା ହେବାରୁ ବସରେ ନିଆଁ ଲାଗିଯାଇଥିଲା । ଭୋର ସମୟ ହୋଇଥିବାର ପ୍ରାୟ ଯାତ୍ରୀ ନିଦ୍ରାରେ ଥିଲେ । ଅନେକ ଯାତ୍ରୀ ବସ୍‌ର ଝରକା ଭାଙ୍ଗି ଡେଇଁ ପଡିଥିଲେ ।

ପୋଲିସ ଡିଜି କୋୟା ପ୍ରବୀଣ କହିଛନ୍ତି, ବସରେ 41 ଯାତ୍ରୀ ଥିଲେ, ଯାହା ମଧ୍ଯରେ 2 ଜଣ ଶିଶୁ ଥିଲେ। ବର୍ତ୍ତମାନ ୨୦ ମୃତଦେହ ଉଦ୍ଧାର ହାଇଛି ଏବଂ ତାଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହି ଦୁର୍ଘଟଣାରେ ୧୯ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ଏବଂ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଅଛି । ବସରେ ଅଧିକାଂଶ ଯାତ୍ରୀ ହାଇଦ୍ରାବାଦର ଥିଲେ। ପୋଲିସ କହିଛି, ‘ବସର ମୁଖ୍ୟ ଡ୍ରାଇଭର ନିଖୋଜ । ଆଉ ଜଣେ ଡ୍ରାଇଭରକୁ ହେପାଜତକୁ ନେଇଛୁ । ବସ୍‌ ଡ୍ରାଇଭର ହେଲେ ଶିବନାରାୟଣ ଓ ଲକ୍ଷ୍ମୀୟା । ତଦନ୍ତ ଜାରି ରହିଛି । ଅନ୍ୟପଟେ ବାଇକ ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

ଏହି ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ସୋସିଆଲ ମିଡ଼ିଆ X ପୋଷ୍ଟ କରି ଲେଖିଛନ୍ତି, ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ବସ୍‌ ଅଗ୍ନିକାଣ୍ଡ ଘଟଣାରେ ପ୍ରାଣହାନୀ ଅତ୍ୟନ୍ତ ଦୁଭାର୍ଗ୍ୟଜନକ । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ଯ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୋଦି X ପୋଷ୍ଟରେ ଲେଖିଛନ୍ତି, ‘ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ଏହି ଦୁର୍ଘଟଣାରେ ଜୀବନହାନୀ ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁଃଖଦ ସମୟରେ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା । ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ।’

LEAVE A REPLY

Please enter your comment!
Please enter your name here