ଶନିବାର ରାଜ୍ୟ କ୍ୟାବିନେଟର ୨୯ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ଜଣାଇଲେ ଯେ, ଏହି ବୈଠକରେ ମୋଟ ୪ ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତି କରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ୧ ଟି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି , ଏହିଭଳି ମୋଟ ୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି ।
କୃଷି ଓ କୃଷକ ସଶକ୍ତି କରଣ ଅନ୍ତର୍ଭୁକ୍ତ ଫସଲ ବିବିଧିକରଣ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ୧୫୨୩.୯୮ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ଯରେ ବିମାନ ଚଳାଚଳ କ୍ଷେତ୍ର ପାଇଁ ଭିତ୍ତିଭୂମି ବିକାଶ ଓ ଆଧୁନୀକରଣ ପାଇଁ ଖର୍ଚ୍ଚ ହେବ ୪.୧୮୨ କୋଟି ଟଙ୍କା । ବିମାନ ସଂଯୋଗ, ରକ୍ଷଣାବେକ୍ଷଣ, ମରାମତି, କର୍ଗୋ ଓ ଲଜେଷ୍ଟିକ ବିକାଶ, ନୂଆ ପ୍ରଯୁକ୍ତିବିଦ୍ୟା ର ବ୍ୟବହାର ଇତ୍ୟାଦି ଅର୍ନ୍ତଭୁକ୍ତ ରହିଛି ।ଆଗାମୀ ୧୦ ବର୍ଷ ପାଇଁ ୨୦୦ ଟି ଇ- ବସ ରାଜ୍ୟରେ ଚାଲିବ । ଯେଉଁଥିରେ ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ ବସ ଚାଲିବ । ବ୍ରହ୍ମପୁର ଓ ସମ୍ବଲପୁରରେ ୫୦ଟି ବସ ଚାଲିବ । ଏଥିପାଇଁ ୯୫୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପ ଯୋଜନାକୁ କ୍ୟାବିନେଟର ମୋହର ବାଜିଛି । ଏହି ଯୋଜନା ଆସନ୍ତା ୪ ବର୍ଷ ପାଇଁ ୨୯୪.୩୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ଯୋଜନା ଦ୍ୱାରା ୨୩ ହଜାର ୭୩୫ କୃଷକ ଉପକୃତ ହେବେ ।














