ସାମୁଦ୍ରିକ ଝଡ଼ ‘ମୋନ୍ଥା’ ଏବେ ଆହୁରି ଶକ୍ତିଶାଳୀ ହୋଇଛି।ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ‘ମୋନ୍ଥା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ମୋନ୍ଥା’ ପାଇଁ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି ହୋଇଛି ।ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରି ସ୍ଥଳଭାଗ ମୁହାଁ ହେଉଛି ଏହି ସାମୁଦ୍ରିକ ଝଡ଼ । ବାତ୍ୟାର କେନ୍ଦ୍ର ସ୍ଥଳ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ମଚ୍ଛଲିପଟନମ ଠାରୁ ୧୯୦ କିମି ଏବଂ କାକିନାଡ଼ା ଠାରୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ସେହିପରି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ରହିଛି । ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ‘ମୋନ୍ଥା’ ସ୍ଥଳଭାଗ ଛୁଇଁବ । କାକିନାଡ଼ା ଦେଇ ଏହା ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହା ପୂର୍ବରୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଗଜପତି, ଗଞ୍ଜାମ ଠାରୁ ଆରମ୍ଭ କରି କଟକ, ଭୁବନେଶ୍ୱର ଯାଏଁ ବର୍ଷା ଲାଗି ରହିଛି । ମୋନ୍ଥାର ପ୍ରଭାବ ବିଶେଷକରି ଉପକୂଳବର୍ତ୍ତୀ ଏବଂ ଦକ୍ଷିଣ ଓଡ଼ିଶା ଉପରେ ପଡ଼ିବ । ଆଇଏମଡିର ଆକଳନ ଅନୁଯାୟୀ ବାତ୍ୟା ମୋନ୍ଥା ଛତିଶଗଡ଼ ଦେଇ ଅତିକ୍ରମ କରିବ । ତେଣୁ ଓଡ଼ିଶା ଉପରେ ପ୍ରଭାବ କମ ରହିବ । ତଥାପି ଏହି ସମୟରେ ପବନ ବେଗ ଅପେକ୍ଷା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଆସନ୍ତାକାଲି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ଆଲର୍ଟ ରହିଛି । ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ସମ୍ବଲପୁର, ସୋନପୁର ଓ ବରଗଡ଼ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ ।ବାତ୍ୟା ‘ମୋନ୍ଥା’ ପାଇଁ ସମୁଦ୍ର ଅଶାନ୍ତ ରହିଛି । ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ରେଡ୍ ଜୋନ୍‌ରେ ଥିବା ୮ଟି ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ୨ଟି ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । ୨୦୦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ରାଉଣ୍ଡରେ ପହଞ୍ଚିଛନ୍ତି NDRF, ODRAF ଓ ଅଗ୍ନିଶମ ବାହିନୀ ।ଲୋକଙ୍କୁ ବିଚଳିତ ନ ହେବାକୁ ପରାମର୍ଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here