ଆଜି ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ଏସ୍‌ଆର୍‌ସି ମଧ୍ଯ ଉପସ୍ଥିତ ରହିଥିଲେ । ପୋଲିସ ଡିଜି, ଅଗ୍ନିଶମ ଡିଜି ସହ ଅନ୍ୟ ବିଭାଗୀୟ ଅଧିକାରୀ ସାମିଲ୍ ରହିଥିଲେ । ବାତ୍ୟା ସମୟରେ ଏବଂ ଛାଡିଲା ପରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ କିପରି ଜିରୋ କାଜୁଆଲିଟି ହେବ ସେନେଇ ମୁଖ୍ଯମନ୍ତ୍ରୀ ଆଲୋଚନା କରିଛନ୍ତି। ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି । ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ଯବସ୍ଥା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭହୋଇଯାଇଛି। ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ । ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,” ବର୍ତ୍ତମାନ ପର୍ଯ୍ୟନ୍ତ ୧୧,୩୯୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୋଟ ୩୦,୫୯୪ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରଖାଯାଇଛି। ଆବଶ୍ୟକ ହେଲେ ଅନ୍ୟମାନଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ। ସେହିପରି ୧,୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍ ସେଣ୍ଟରକୁ ନିଆଯାଇଛି, ଏବଂ ଆଉ ୮୨୨ ଜଣଙ୍କୁ ସ୍ଥାନାନ୍ତର କରିବା ଯୋଜନା ରହିଛି। ଦକ୍ଷିଣ ଓଡ଼ିଶାର ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ ରଖାଯାଇଛି। ଧନ ଜୀବନ ନଷ୍ଟ ନ ହେଉ ସେଥିପାଇଁ ସରକାର ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି।” ସେପଟେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ସାରିଛି। ରାୟଗଡ଼ା କାଶୀନଗରରେ ପ୍ରବଳ ବର୍ଷା ଯୋଗୁଁ ଏକ ପାହାଡ଼ ଧସି ଯାଇଛି ।ପାହାଡ଼ ଧସିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଦୂରରେ ରହିଛି ବାତ୍ୟା।ଗୋପାଳପୁର ଠାରୁ ୫୩୦ କିମି ଦୂରରେ ‘ମୋନ୍ଥା’। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’।

LEAVE A REPLY

Please enter your comment!
Please enter your name here