ଓଡ଼ିଶାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ହୋଇଛି। ଏହା ସମ୍ପର୍କରେ ଲୋକସେବା ଭବନର କନଭେନସନ ହଲରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ଅଧିକାରୀମାନଙ୍କୁ ଦୁର୍ନୀତି ବିରୋଧୀ ଶପଥ ପାଠ କରାଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଯଶବନ୍ଧୁ କୁମାର ଜେଠୱା ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ “ଶୂନ୍ୟ ସହନଶୀଳତା” ନୀତି ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ।ଏହି ଅଭିଯାନ ଦୁର୍ନୀତିରେ ଲିପ୍ତ ଅଧିକାରୀ ମାନଙ୍କ ପାଇଁ ଏକ ସନ୍ଦେଶ ।ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ନୀତିଗ୍ରସ୍ତ ମନୋଭାବକୁ ସମୂଳ ଉଚ୍ଛେଦ କରିବା ସରକାରର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଦୁର୍ନୀତି ଆମ ବ୍ୟବସ୍ଥାରେ ପ୍ରବେଶ କରେ, ସେତେବେଳେ ସାଧାରଣ ଲୋକଙ୍କର ବିଶ୍ୱାସ ଭାଙ୍ଗି ଯାଇଥାଏ। ଦୁର୍ନୀତି ଆମ ଶାସନର ମୂଳଦୁଆକୁ ଦୁର୍ବଳ କରିଥାଏ । ତେଣୁ, ଦୁର୍ନୀତି ବିରୋଧରେ ଲଢିବା କେବଳ ଏକ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କର ଏକ ନୈତିକ ଦାୟିତ୍ୱ ।ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଦୃଢ ଇଛା ଶକ୍ତି ବଳରେ, ଦୁର୍ନୀତି ରୋକିବା ପାଇଁ ଅନେକ ଆଧୁନିକ ଟେକ୍ନୋଲୋଜିର ଉପଯୋଗ କରାଯାଇଛି ।ଦୁର୍ନୀତି ଆମ ସମାଜର ପ୍ରଗତି ଓ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଗଠନ ହେବା ପରେ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲି ।
ପୂର୍ବ ବ୍ୟବସ୍ଥାକୁ ପରିବର୍ତ୍ତନ କରି ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ଏବେ ଛୋଟରୁ ବଡ଼, ସମସ୍ତ ପ୍ରକାର ଦୁର୍ନୀତି ଗ୍ରସ୍ତଙ୍କ ବିରୋଧରେ କଠୋର ଅଭିଯାନ ଚାଲାଇଛି। ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଉ କି ଆଇଏଏସ୍ ଅଧିକାରୀ— କାହାକୁ ମଧ୍ୟ ଛାଡ଼ାଯାଇନାହିଁ। ଏହି ସଫଳତା ଭିଜିଲାନ୍ସ ଅଧିକାରୀଙ୍କୁ ଦିଆଯାଇଥିବା ସ୍ବାଧୀନ ଅଧିକାରର ପରିଣାମ। ବର୍ତ୍ତମାନ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଦଣ୍ଡ ବିଧାନ ହାର ୫୦ ଶତାଂଶରୁ ଅଧିକ। ମୁଖ୍ୟମନ୍ତ୍ରୀ କହିଛନ୍ତି “ଦୁର୍ନୀତି ନିବାରଣ ବିଭାଗ କାହାକୁ କ୍ଷମା କରିବ ନାହିଁ ଏବଂ କାହାକୁ ଛାଡ଼ିବ ନାହିଁ ।” ଶୂନ୍ୟ ସହନଶୀଳ ନୀତିର ଅଂଶ ଭାବରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୩୦ ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ଓ ୬୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ବନ୍ଦ କରଯାଇଛି। ଏକ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଆମ ସମସ୍ତଙ୍କୁ କାମ କରିବାକୁ ପଡିବ ।














