ଆମେରିକା ଖୁବ୍ ଶୀଘ୍ର ଏକ ନୂତନ ପରମାଣୁ ପରୀକ୍ଷା କରିବ। ଏଥି ପାଇଁ ଅନୁମତି ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରୁଥ୍ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସେ କହିଛନ୍ତି, “ଆମେରିକା ପାଖରେ ବିଶ୍ବର ସବୁଠୁ ଶକ୍ତିଶାଳୀ ପରମାଣୁ ଅସ୍ତ୍ର ଅଛି, ଯାହା ବିନାଶକାରୀ ହୋଇଥିବାରୁ ଏହା କରିବାକୁ ଘୃଣା କରୁଥିଲି।” ରୁଷ ଏବଂ ଚୀନ ମଧ୍ଯ ପରମାଣୁ ପରୀକ୍ଷା ଜାରି ରଖିଥିବାରୁ ଆମେରିକା ମଧ୍ୟ ଏହି ପଦକ୍ଷେପ ନେଇଛି ବୋଲି ଟ୍ରମ୍ପ ଜଣାଇଛନ୍ତି। ଗୋଟିଏ ପଟେ ପରମାଣୁ ପରୀକ୍ଷା କରିବାକୁ ଟ୍ରମ୍ପ ଅନୁମତି ଦେଇ, ସାରା ବିଶ୍ୱକୁ ଡରାଇବାକୁ ଚେଷ୍ଟା କରିଥିବା ବେଳେ ଏପଟେ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗସହ ବୈଠକ କରି ସମସ୍ୟା ସମାଧାନ କରିବାର ନାଟକ କରୁଛନ୍ତି ଟ୍ରମ୍ପ ।ଟ୍ରମ୍ପ ସ୍ପଷ୍ଟ ଭାବରେ ରୁଷ ଏବଂ ଚୀନ୍ ନାମ ଉଲ୍ଲେଖ କରି କହିଛନ୍ତି, “ରୁଷ ଏବେ ଦ୍ବିତୀୟ ଓ ଚୀନ୍ ତୃତୀୟ ସ୍ଥାନରେ ଅଛି, କିନ୍ତୁ ଆଗାମୀ ପାଞ୍ଚ ବର୍ଷରେ ସେମାନେ ଆମେରିକା ସହ ସମାନ ହୋଇଯିବେ।” ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ତାଙ୍କର ସାକ୍ଷାତ ପୂର୍ବରୁ ଟ୍ରମ୍ପ ଏହି ପୋଷ୍ଟ କରିଥିଲେ।ଟ୍ରମ୍ପ ତାଙ୍କ ପୋଷ୍ଟରେ ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକା ବିଶ୍ୱରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ର ରଖିଛି। ତଥାପି, ଅନ୍ତର୍ଜାତୀୟ ତଥ୍ୟ ଏହି ଦାବିକୁ ମିଥ୍ୟା ଦର୍ଶାଉଛି। ଆନ୍ତର୍ଜାତୀୟ ପରମାଣୁ ଅସ୍ତ୍ର ତାଲିକା ଅଭିଯାନ ଅନୁଯାୟୀ, ରୁଷ ପାଖରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ର ରହିଛି, ଯାହାର ସଂଖ୍ୟା ୫,୫୦୦ ରୁ ଅଧିକ, ଯେତେବେଳେ ଆମେରିକା ପାଖରେ ପ୍ରାୟ ୫,୦୪୪ ଅଛି।
ଦୁନିଆର ସବୁଠୁ ଶକ୍ତିଶାଳୀ ନ୍ୟୁକ୍ଲିୟର ପାୱର୍ଡ ଅଣ୍ଡରୱାଟର ଟୋର୍ପେଡୋ ପୋସାଇଡନର ସଫଳ ପରୀକ୍ଷା ସମ୍ପନ୍ନ ହୋଇଛି। ଏହା ସମ୍ପର୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଘୋଷଣା କରିଛନ୍ତି, ଏହାକୁ ଦେଶ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି। ପୁଟିନ କହିଛନ୍ତି, ଅକ୍ଟୋବର ୨୮ ତାରିଖରେ ଆର୍କଟିକ୍ ମହାସାଗରରେ ପୋସାଇଡନର ସଫଳ ପରୀକ୍ଷା କରାଯାଇଛି। ସେ ଦାବି କରିଛନ୍ତି ଯେ ଏହି ଅସ୍ତ୍ରର ଶକ୍ତି ରୁଷର ସବୁଠୁ ବଡ ।ICBM ‘ସରମାଟ୍’ ଠାରୁ ମଧ୍ଯ ଅଧିକ ଏବଂ ଦୁନିଆରେ ଏହାର କୌଣସି ଜବାବ ନାହିଁ। ପୁଟିନ କହିଛନ୍ତି, “ପ୍ରଥମ ଥର ପାଇଁ, ଆମେ ପୋସାଇଡନକୁ କେବଳ ଏକ ଲଞ୍ଚ ଇଞ୍ଜିନ୍ ଦ୍ବାରା ନୁହେଁ, ପରମାଣୁ ଶକ୍ତି କେନ୍ଦ୍ରକୁ ସକ୍ରିୟ କରି ଉତକ୍ଷେପଣ କରିଛୁ, ଯାହା ଡିଭାଇସକୁ କିଛି ସମୟ ପାଇଁ ଚାଳିତ କରିଥିଲା। ଏହା ଆମ ପାଇଁ ଏକ ବଡ଼ ଉପଲବ୍ଧି।”ଏହି ନେଇ ଆମେରିକା ଏବଂ ରୁଷ ଉଭୟର ଅଧିକାରୀମାନେ ପୋସାଇଡନକୁ ଏକ “ପ୍ରତିଶୋଧ ଅସ୍ତ୍ର” ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ, ଏହି ଅସ୍ତ୍ର ରେଡିଓଆକ୍ଟିଭ ସମୁଦ୍ର ତରଙ୍ଗ ସୃଷ୍ଟି କରି ଉପକୂଳବର୍ତ୍ତୀ ସହରଗୁଡ଼ିକୁ ଧ୍ବଂସ କରିପାରେ।













