ବସ୍ ଭିତରେ ଏକ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ଦୁଇ ଆର୍ମି ଯବାନ। ଏଥିପାଇଁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଚଳିତ ବର୍ଷ ଜାନୁଆରୀ ମାସ ୩ ତାରିଖରେ ଗୋପାଳପୁର ଆର୍ମି ଏଡି କଲେଜର ବସ ଭିତରେ ଜଣେ ଆର୍ମି ମେଜର ୪ ବର୍ଷର ଝିଅକୁ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ନିଜ ପରିବାରକୁ ଜଣାଇବା ପରେ ପରିବାର ଲୋକେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ କରି ଆର୍ମି ଏଡି କଲେଜର ଦୁଇ ଜଣ ସେନା କର୍ମଚାରୀଙ୍କୁ ଗିରଫ କରିଥିଲା।ଗିରଫ ଦୁଇ ଅଭିଯୁକ୍ତ ହେଲେ ଭି.ଜୟଶ କୁମାର ଓ ହସେଲଦାର ମୁଣ୍ଡା । ଗିରଫ ପରେ ଗୋପାଳପୁର ଥାନା ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା । ମାମଲାକୁ ନେଇ ବ୍ରହ୍ମପୁର ପୋକ୍ସୋ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହେବା ପରେ, କୋର୍ଟ ଆଜି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡ ଦେଇଛି। ପୀଡ଼ିତା ନାବାଳିକାଙ୍କ ପରିବାରକୁ ୧୦ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି। ଅଭିଯୋଗ ଦାଖଲ ହୋଇଥିବା ୧୦ ମାସ ମଧ୍ୟରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ରାୟ ଦେଇଥିବା ନେଇ ପବ୍ଲିକ ପ୍ରସିକ୍ୟୁଟର ତଥ୍ୟ ଦେଇଛନ୍ତି।














