ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ କାଶୀବୁଗାରେ ଥବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି, ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହା ସହ ପ୍ରଧାନମନ୍ତ୍ରୀ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।ସେହିପରି ରାଷ୍ଟ୍ରପତି କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଅନେକ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ। ରାଷ୍ଟ୍ରପତି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।ଖବର ଅନୁସାରେ, କାର୍ତ୍ତିକ ମାସ ଏକାଦଶୀ ଥିବାରୁ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭଗବାନ ଭେଙ୍କଟେଶ୍ୱରଙ୍କୁ ସମର୍ପିତ ଏହି ପ୍ରାଚୀନ ମନ୍ଦିର ପ୍ରତି ଏକାଦଶୀରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଆଜି କାର୍ତ୍ତିକ ମାସ ଏକାଦଶୀ ଥିବାରୁ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା। ଭିଡ଼ ଏତେ ଅଧିକ ଥିଲା ଯେ ଲୋକମାନେ ପରସ୍ପର ଉପରେ ଚଢ଼ିଯାଉଥିଲେ। ଫଳରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା। ଶ୍ବାସରୁଦ୍ଧ ହୋଇ ଅଧିକାଂଶ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here