ଦୀର୍ଘ ଦିନ ଧରି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଉଭୟ ଦେଶ ମଧ୍ୟରେ ଗୁରୁବାର ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିବର୍ଷଣ ହୋଇଛି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି । ପାକିସ୍ତାନ ଦୀର୍ଘ ସମୟ ଧରି ଆଫଗାନିସ୍ତାନ ଉପରେ ଅଭିଯୋଗ ଆଣିଛି ଯେ ତାଲିବାନ ସରକାର ପାକିସ୍ତାନ ତାଲିବାନ ଭଳି ଉଗ୍ରବାଦୀ ସଙ୍ଗଠନକୁ ଆଶ୍ରୟ ଦେଉଛି, ସେଥିପାଇଁ ପାକିସ୍ତାନରେ ଆତଙ୍କୀ ଆକ୍ରମଣ କରୁଥିଲେ । ତାଲିବାନ ପ୍ରଶାସନ ଏହି ଅଭିଯୋଗକୁ ଖାରଜ୍ କରିଛି । ଏହି ଘଟଣା ପରେ ଉଭୟ ଦେଶ ପରସ୍ପର ଉପରେ ଗୁଳିମାଡ଼ କରିଥିବା ଅଭିଯୋଗ କରିଛନ୍ତି । ଉଭୟ ଦେଶ ମଧ୍ୟରେ ତୁର୍କୀରେ ଯୁଦ୍ଧବିରତି ଆଲୋଚନାର ଅନ୍ତିମ ପର୍ଯ୍ୟାୟ ଚାଲୁଥିବା ବେଳେ ଏଭଳି ହିଂସା ଘଟିଛି । ଉଭୟ ଦେଶ ମଧ୍ୟରେ ହୋଇଥିବା ଏହି ଆଲୋଚନା ନିକଟରେ ଜାରି ରହିଥିବା ସୀମା ବିବାଦକୁ ଶେଷ କରିବାକୁ ନେଇ ଆୟୋଜିତ ହୋଇଥିଲା ।ପାକିସ୍ତାନ ସୂଚନା ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଖାରଜ କରି କହିଛି, ‘ଆମେ ଆଫଗାନ ପକ୍ଷ ଦ୍ୱାରା ଲଗାଯାଇଥିବା ମିଛ ଅଭିଯୋଗକୁ ସମ୍ପୂର୍ଣ୍ଣ ଖାରଜ କରୁଛୁ । ଆଫଗାନ ପକ୍ଷରୁ ପ୍ରଥମେ ଏହି ଗୁଳିଚାଳନା ଆରମ୍ଭ ହୋଇଥିଲା, ଯାହା ପରେ ଆମ ସେନା ପାଲଟା ଆକ୍ରମଣ କରିଥିଲେ ।’














