ଛତିଶଗଡ ସୁକମା ଜିଲ୍ଲାର ଭେଜ୍ଜି ଏବଂ ଚିନ୍ତାଗୁଫାର ସୀମାବର୍ତ୍ତୀ ଜଙ୍ଗଲରେ ରବିବାର ସକାଳୁ ମାଓବାଦୀ ଏବଂ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହି ଏନକାଉଣ୍ଟରରେ ଜିଲ୍ଲା ରିଜର୍ବ ଗାର୍ଡ ୩ ଜଣ ମାଓବାଦୀଙ୍କୁ ନିପାତ କରିଛି । ନିହତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଜନ ମିଶିଲିଆ କମାଣ୍ଡର ତଥା କୁଖ୍ୟାତ ସ୍ନାଇପର ମାଡଭି ଦେବା । ନଭେମ୍ବର ୧୬ ତାରିଖ ସକାଳେ ଡିଆରଜି ଦଳ ଟୁମାଲପାଦର ଘଞ୍ଚ ଜଙ୍ଗଲ ଏବଂ ପାହାଡି ଇଲାକାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସେନାମାନେ ଏହି ଜଙ୍ଗଲକୁ ଯିବାମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସେନା ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଗୁଳିବର୍ଷଣ ହୋଇଥିଲା । ଏହା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ । ଗୁଳି ବିନିମୟ ବନ୍ଦ ହେବା ପରେ ଡିଆରଜି ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପୋଲିସ ୩ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲା। ନିହତଙ୍କ ମଧ୍ୟରେ ମାଡଭି ଦେବାଙ୍କ ସହ ଆଉ ୨ ଜଣ ମହିଳା ନକ୍ସଲ ଅଛନ୍ତି ।ନିହତ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ଜନ ମିସିଲିଆ କମାଣ୍ଡର ତଥା କୁଖ୍ୟାତ ସ୍ନାଇପର କେଣ୍ଟା ଏରିଆ କମିଟି ସଦସ୍ୟ ମାଡଭି ଦେବା । ତାଙ୍କୁ ଧରିବା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ସେ ଅନେକ ନିର୍ଦ୍ଦୋଷ ଗ୍ରାମବାସୀଙ୍କୁ ହତ୍ୟା ଓ ସେନା ଆକ୍ରମଣରେ ସାମିଲ ଥିଲା । ଆଉଜଣେ ନିହତ ନକ୍ସଲ ହେଲେ ପୋଡିୟମ ଗାଙ୍ଗି । ସେ ଜଣେ CNM କମାଣ୍ଡର ତଥା କୋଣ୍ଟା ଏରିଆ କମିଟିର ସଦସ୍ୟ । ତାଙ୍କ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ତୃତୀୟ ନିହତ ମାଓବାଦୀ ଜଣକ ହେଲେ କିସ୍ତାରାମ ଏରିଆ କମିଟିର ସକ୍ରିୟ ସହସ୍ୟ ସୋଡି ଗାଙ୍ଗି । ତାଙ୍କ ପାଇଁ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଏନକାଉଣ୍ଟରସ୍ଥଳରୁ ସୁରକ୍ଷାବାହିନୀ ୩୦୩ ରାଇଫଲ, ଏକ BGL ଲଞ୍ଚର, ବ୍ୟାଗପ୍ୟାକ ସହିତ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ । ସୁକମା ପୋଲିସ ଅଧିକ୍ଷକ କିରଣ ଚଭନ କହିଛନ୍ତି ଏହି ଅପରେସନ ପରେ ଆଖପାଖ ଅଞ୍ଚଳରେ ତଲାସି ଜାରି ରହିଛି ।














