ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ହଠାତ୍ ହ୍ୟୁମାନଙ୍କ ସ୍ବାସ୍ଥ୍ୟ ଏତେ ଖରାପ୍ ହେଲା କେମିତି , ହ୍ୟୁମାନଙ୍କ ମା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅକୁ ବ୍ୟବହାର କରାଯାଇଛି ଏବଂ ଜାଣି ଜାଣି ମାରି ଦିଆଯାଇଛି। ଆଜି ଏହି ଘଟଣାରେ ହ୍ୟୁମାନଙ୍କ ଦୁଇ ଜଣ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି।ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି। ଏତଲାରେ କୁହାଯାଇଛି ଯେ ଷଡଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଛି। ବଲାଙ୍ଗୀରର ବିଭିନ୍ନ ସଂଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ହ୍ୟୁମାନଙ୍କ ମା’ଙ୍କୁ ର୍ଦୁବ୍ୟବହାର ନେଇ ଅଭିଯୋଗ ମଧ୍ୟ ହୋଇଛି।ପୂର୍ବରୁ ହ୍ୟୁମାନଙ୍କ ମାଆ ବିସ୍ଫୋରକ ବୟାନ ଦେଇ କହିଥିଲେ ହ୍ୟୁମାନଙ୍କ ମୃତ୍ୟ ପାଇଁ ୩ ଜଣ ଦାୟୀ ଅଟନ୍ତି। ପପୁ, ପ୍ରଶାନ୍ତ, ଅର୍ପିତା ଚୌଧୁରୀ ମୋ ପୁଅର ଜୀବନ ନେଇଛନ୍ତି। ଅର୍ପିତା ମୋ ପୁଅକୁ ଧୋକା ଦେଇଛି। ହ୍ୟୁମାନଙ୍କ ମାଆ କାନ୍ଦି କାନ୍ଦି ପୋଲିସକୁ ନ୍ୟାୟ ମାଗିଛନ୍ତି ।














