ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ବିଧାନସଭାରେ ଅଭିଭାଷଣ ରଖିବା ସହ ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟା ୪.୩୦ରେ ବିଧାନସଭାକୁ ସମ୍ବୋଧିତ କରିବେ। ଏହି ଅବସରରେ ସେ ଏହି ପ୍ରକୋଷ୍ଠ କୁ ପୁନର୍ବାର ପରିଦର୍ଶନ କରିବେ, ପୁରୁଣା ଦିନର ସ୍ମୃତି ସାଉଁଟିବା ପାଇଁ ବିଧାନସଭାର ୧୧ ନମ୍ବର ରୁମ୍ କୁ ଯିବେ। ବିଧାନସଭା ତଳ ମହଲରେ ଥିବା ଏହି ଛୋଟ କକ୍ଷଟି, ଯେଉଁଠାରେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ମନ୍ତ୍ରୀ ଓ ବିଧାୟକ ଭାବେ ବସି କାମ କରୁଥିଲେ, ଆଜି ତାଙ୍କୁ ପୁଣିଥରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇଛି —କିନ୍ତୁ ଏବେ ସେ ଦେଶର ପ୍ରଥମ ନାଗରିକ, ଭାରତର ରାଷ୍ଟ୍ରପତି। ସେ ୨୦୦୦ ମସିହାରେ ପ୍ରଥମ ଥର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ଭାରତୀୟ ଜନତା ପାର୍ଟିର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ମନ୍ତ୍ରୀ ଭାବେ କାର୍ଯ୍ୟକାଳ ସମୟରେ ସେ ଏହି କକ୍ଷକୁ ନିଜ କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ। ନିଜର ବିଭାଗୀୟ କାମ, ଏହି ରୁମ୍ ନଂ-୧୧ରେ କରୁଥିଲେ। ବିଧାନସଭା ଅଧିବେଶନ ପୂର୍ବରୁ ନିଜ ବିଭାଗୀୟ ପ୍ରଶ୍ନୋତ୍ତର ଓ ଫାଇଲ୍ ଅଧ୍ୟୟନ ମଧ୍ୟ ଏଠାରେ କରୁଥିଲେ। ବିଧାନସଭାର ଏହି ପ୍ରକୋଷ୍ଠକୁ ନୂଆ ରୂପରେ ସଜାଇ ଏହି ବିଶେଷ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ କରାଯାଇଛି । ନୂଆ ଟେବୁଲ, ଚେୟାର ଓ ଅନ୍ୟାନ୍ୟ ଆସବାବ ପତ୍ର ରଖାଯାଇଛି । ବିଧାନସଭାର କର୍ମଚାରୀ ରୁମ ସାଜସଜ୍ଜାର ତଦାରଖ କରୁଛନ୍ତି। ଗୁରୁବାର ଅପରାହ୍ନ ୪.୨୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବିଧାନସଭାକୁ ଆସିବେ ରାଷ୍ଟ୍ରପତି । ବିଧାନସଭା ପରିସରକୁ ପହଞ୍ଚି ୪.୩୦ରେ ସଦସ୍ୟମାନଙ୍କୁ ସମ୍ବୋଧିତ କରିବେ। ଏହି ଅବସରରେ ରାଜ୍ୟପାଳ ହରି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ସମସ୍ତ ବିଧାୟକ ମଧ୍ୟ ଉପସ୍ଥିତ ରହିବେ।













