ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ୧୦ ଦିନ ପୁରିଗଲାଣି,ତଥାପି ଲୋକେ ହ୍ୟୁମାନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ତଥାପି ଲୋକମାନେ ହ୍ୟୁମାନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଅତ୍ୟଧିକ କାମର ଚାପ ଓ ପରିଚାଳନା ଟିମର ହଂସୃକ୍ଷେପ ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ ଉଠିଛି । ଏହି ଘଟଣାକୁ ନେଇ ଦାଖଲ ହେଉଥିବା ମାମଲା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରାଥମିକ ଭାବେ ତାଙ୍କ ମ୍ୟାନେଜର ଦିନେଶ ବେହେରା ଓରଫ୍ ପପୁ ଓ ପ୍ରଶାନ୍ତ ବେହେରାଙ୍କ ବିରୁଦ୍ଧରେ ଅଧିକ ଅଭିଯୋଗ ଆସୁଛି ।ସମାଜର ବିଭିନ୍ନ ମଞ୍ଚ ଠାରୁ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି । ଆଜି ନିର୍ଦ୍ଦେଶକ ଜିତୁ ରାଉତ କଟକର ମଧୁପାଟଣା ଥାନାରେ ହ୍ୟୁମାନଙ୍କ ୩ ସହଯୋଗୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ହ୍ୟୁମାନଙ୍କ ଆର୍ଥିକ କାରବାର ଏବଂ ଚିକିତ୍ସାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ହ୍ୟୁମାନଙ୍କ କଷ୍ଟ ଅର୍ଜିତ ଧନର ହେରଫେର କରାଯିବା ସହିତ ମ୍ୟାନେଜର ଏବଂ ଟିମ୍ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିଛନ୍ତି ବୋଲି ଜିତୁ ରାଉତ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ହ୍ୟୁମାନଙ୍କ ପରିବାରବର୍ଗଙ୍କୁ ନ୍ୟାୟ, ସୁରକ୍ଷା ପ୍ରଦାନ କରାଯାଉ ବୋଲି ଆଜି ଜିତୁ ଏବଂ ତାଙ୍କର ସହଯୋଗୀ ଦାବି କରିଛନ୍ତି । ଗତକାଲି ବଲାଙ୍ଗିର ଟାଉନ୍ ଥାନାରେ ଖ୍ରୀଷ୍ଟିୟାନ ୟୁଥ୍ ଫୋରମ୍ ପକ୍ଷରୁ ଏତଲା ଦିଆଯାଇଛି । ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରା ପରେ ଥାନାରେ ଏତଲା ଦିଆଯାଇଥିଲା । ହ୍ୟୁମାନଙ୍କ ୨ ମ୍ୟାନେଜର ଓ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଦାୟୀ କରି ତଦନ୍ତ ଦାବି କରିଛନ୍ତି । ଏସପିଙ୍କୁ ମଧ୍ୟ ଭେଟି ଅଭିଯୋଗ କରିଛନ୍ତି ଖ୍ରୀଷ୍ଟିୟାନ ୟୁଥ୍ ଫୋରମ୍ । ସବୁଥିରେ ଗୋଟିଏ ଅଭିଯୋଗ, ଏତେ ଅସୁସ୍ଥ ଥିବା ସତ୍ୱେ ହ୍ୟୁମାନଙ୍କୁ କାହିଁକି ଷ୍ଟେଜ୍ ଶୋ ପାଇଁ ନିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ।














