ଶୁକ୍ରବାର ସକାଳୁ ସକାଳୁ ଭୁବନେଶ୍ୱର ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ ଫାଟକ ଉପରକୁ ହୋଇଛି ବୋମା ମାଡ଼ । ମଞ୍ଚେଶ୍ୱର ଥାନା ପୋଲିସ ଏବଂ ରେଳ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ସକାଳ ପ୍ରାୟ ୭ଟା ୪୫ ସୁଦ୍ଧା କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଭିତରକୁ ପ୍ରବେଶ କରିଯାଇଥିଲେ । ଏହା ପରେ ୭ଟା ୫୫ରୁ ୮ଟା ମଧ୍ୟରେ କେହି ଦୁର୍ବୃତ୍ତ ବାଇକରେ ଆସି ୨ଟି ବୋମା ମାଡ଼ କରି ତୁରନ୍ତ ଫେରାର ହୋଇଯାଇଥିଲେ । ଗୋଟିଏ ପଟେ ବିଦ୍ୟାଳୟ ପାଚେରୀ ଥିବାବେଳେ ଅନ୍ୟ ପାଖରେ ରେଲୱେ କଲୋନୀ ରହିଛି । ସେହି ରାସ୍ତା ମଝିରେ ହିଁ ବିଦ୍ୟାଳୟ ଗେଟ୍ ଉପରକୁ ବୋମା ମାଡ଼ ହୋଇଥିଲା । ଗୋଟିଏ ବୋମା ବିଦ୍ୟାଳୟ ପାଚେରୀକୁ ଫିଙ୍ଗା ଯାଇଥିବାବେଳେ ଆଉ ଗୋଟିଏ ବୋମା ୩ ନଂ ଫାଟକ ଉପରକୁ ଫିଙ୍ଗା ଯାଇଥିଲା । ନିକଟସ୍ଥ ଲୋକମାନେ ଆସି ଦେଖିବା ବେଳକୁ ରାସ୍ତା ଉପରେ ସୁତୁଲି, ଲୁହା କଣ୍ଟା ଆଦି ସାମଗ୍ରୀ ପଡ଼ିଛି । ସେପଟେ ବିଦ୍ୟାଳୟର ଲୁହା ଫାଟକ ମଧ୍ୟ ବଙ୍କା ହୋଇଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ ଭଳି ଏକ ସ୍ଥାନରେ କାହିଁକି ଏବଂ କିଏ ବୋମା ମାଡ଼ କରିଛି ତାହା ଜଣାପଡ଼ି ନାହିଁ । ଯଦି କିଛି ସମୟ ପୂର୍ବରୁ ବୋମା ଫିଙ୍ଗା ଯାଇଥାଆନ୍ତା ତାହା ହେଲେ ଛାତ୍ରଛାତ୍ରୀମାନେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିଲା । ଯାହାକୁ ନେଇ ଅଭିଭାବକମାନେ ଭୟଭୀତ ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here