ଭୁବନେଶ୍ବର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ–୩ ସମ୍ମୁଖରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖିଛି। ସ୍ଥାନୀୟ ଲୋକଙ୍କ ସୂଚନା ସହ ସିସିଟିଭି ଫୁଟେଜ୍ ଆଧାରରେ ମଞ୍ଚେଶ୍ବର ଥାନା ପୋଲିସ ସନ୍ଦିଗ୍ଧମାନଙ୍କୁ ଧରିଛି। ଅଟକ ମାନଙ୍କ ମଧ୍ୟରୁ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ଥିବା ଜଣାପଡ଼ିଛି।ଶୁକ୍ରବାର ସକାଳ ୭ ଟା ୫୦ରୁ ୮ଟା ମଧ୍ୟରେ ବିଦ୍ୟାଳୟ ଖୋଲାଥିବାବେଳେ ୨ଟି ବୋମା ମାଡ଼ କରାଯାଇଥିଲା । ଉକ୍ତ ସ୍ଥାନରୁ ଲୁହା କଣ୍ଟା, ସୁତୁଲି ଇତ୍ୟାଦି ଜବତ କରାଯାଇଥିଲା । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ଜିଆରପି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲେ , ପରେ ପରେ ଜାତୀୟ ତଦନ୍ତ ସଂସ୍ଥା ମଧ୍ୟ ତଦନ୍ତ କରିଥିଲା । ନିକଟରେ ଦିଲ୍ଲୀ ବିସ୍ଫୋରଣ ହୋଇଥିବାରୁ ଏନଆଇଏ ମଧ୍ୟ ତଦନ୍ତ କରିଥିଲା । ଏହା ଏକ ବାଣ ଫୁଟା ଜନିତ ବିସ୍ଫୋରଣ ଥିଲା ବୋଲି ପୋଲିସ କମିଶନର ଏସ ଦେବଦତ୍ତ ସିଂହ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଥିଲେ । ବିଧାନସଭା ଶୀତ ଅଧିବେଶନ ଚାଲୁଥିବାବେଳେ ସେହିଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ , ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।













