ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯାଇଥିବା ପ୍ରଥମ ଦୃଷ୍ଟି ବାଧିତ ମହିଳା ଟି-20 ବିଶ୍ୱକପରେ ଚମ୍ପିଆନ ହୋଇଛି ଭାରତ । ଫାଇନାଲରେ ନେପାଳକୁ ହରାଇ ଟାଇଟଲ୍ ଜିତିଛି ଭାରତ । ଦଳରେ ଥିବା ଚାରି ଓଡ଼ିଆ ଝିଅ ଓଡିଶାରେ ପହଂଚିବା ପରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଟି-20 ବିଶ୍ୱକପ୍ ବିଜେତା ଭାରତୀୟ ଦୃଷ୍ଟି ବାଧିତ ମହିଳା କ୍ରିକେଟ ଦଳର ଚାରି ଓଡିଆ କ୍ରିକେଟର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିବା ସହ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ ତଥା- ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା ପ୍ରତିନିଧିତ୍ବ କରିଥିଲେ । ମୁଖ୍ୟମନ୍ତ୍ରୀ ଖେଳାଳିମାନଙ୍କର ଦୃଢ଼ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରି ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରି ଆପଣମାନେ, ଦେଶ ଓ ରାଜ୍ୟ ପାଇଁ ଯଶ ଆଣିଛନ୍ତି ବୋଲି କହିଥିଲେ। ପ୍ରତ୍ୟେକ ଓଡିଆଙ୍କ ପାଇଁ ଆପଣମାନେ ପ୍ରେରଣା ହୋଇଛନ୍ତି ବୋଲି ମତ ଦେଇ ଆତ୍ମବିଶ୍ୱାସର ସହ ଏହି ବିଜୟ ଯାତ୍ରା ଜାରି ରଖିବାକୁ ସେ ଖେଳାଳିମାନଙ୍କୁ ଉପଦେଶ ଦେଇଥିଲେ ।













