ମେଗା ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତିର ହେବ ତଦନ୍ତ । ୩୫ ହଜାର କୋଟର ପ୍ରକଳ୍ପ କାହିଁକି ନିର୍ଦ୍ଦିଷ୍ଟ ୧୭ ତାମିଲ ଠିକାଦାରଙ୍କୁ ଦିଆଗଲା, ଏନେଇ ହୋଇପାରେ ତଦନ୍ତ । ପୂର୍ବ ସରକାର ୩୫ ହଜାର କୋଟି ଟଙ୍କାରେ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପ ଘୋଷଣା କରିଥିଲେ । ହେଲେ କାମ ଆରମ୍ଭ ନହେଉଣୁ କାହିଁକି ଠିକାଦାର ମାନଙ୍କୁ ଆଗୁଆ ପେମେଣ୍ଟ ଦିଆଗଲା ତାର ଭିଜିଲାନ୍ସ ତଦନ୍ତ ପାଇଁ ବିଧାନସଭାରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ୍ । ମନ୍ତ୍ରୀ କହିଲେ, ବର୍ତ୍ତମାନ ସୁଦ୍ଧା ନୂଆ ସରକାର ୨୫ଟି ମେଗା ପ୍ରକଳ୍ପ ଶେଷ କରିଥିବା ବେଳେ ୬୬ ପ୍ରକଳ୍ପ ୯୦ ପ୍ରତିଶତ ଶେଷ ହୋଇଛି । ହେଲେ ସବୁଠାରୁ ବଡ଼ କଥା, ବିଜେଡି ସରକାର ସମୟରେ ଠିକା ଦିଆଯାଇଥିବା ୧୭ ଠିକାଦାର ତାମିଲନାଡୁର ବୋଲି କହି ପୂର୍ବ ସରକାରକୁ କଟାକ୍ଷ କଲେ ମନ୍ତ୍ରୀ ।ମନ୍ତ୍ରୀ ରବି ନାଏକ କହିଛନ୍ତି ଓଡ଼ିଆ ଲୋକଙ୍କୁ ଠିକା ଦେଇଥିଲେ କାମ ଭଲ ହୋଇଥାନ୍ତା । ଏହାସହ ମେଗା ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ଉପରେ ଆଗକୁ ତଦନ୍ତ ହେବ ବୋଲି ସଂକେତ ଦେଲେ ମନ୍ତ୍ରୀ । ସେଥିରେ ଯେଉଁ ଟାଟା ପାଇପ୍ ବ୍ୟବହାର ହେବାର ଥିଲା ସେଥିରେ ନିମ୍ନମାନର ପାଇପ୍ ବ୍ୟବହାର କରାଯାଇଛି । ତେଣୁ କାହା ସ୍ୱାର୍ଥରେ ଠିକାଦାରମାନଙ୍କୁ ୫୦ ପ୍ରତିଶତ ଅଗ୍ରୀମ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ତତ୍କାଳୀନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ସେ ଗୃହରେ ଦାବି କରିଛନ୍ତି । ତଦନ୍ତ ହେଲେ ଏହି ପ୍ରକଳ୍ପ ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ବିଧାୟକ କହିଛନ୍ତି ।ବିଭାଗୀୟ ମନ୍ତ୍ରୀ ରବି ନାଏକ ଏହି ପ୍ରଶ୍ନର ଉତ୍ତରେ ପୂର୍ବ ସରକାରକୁ ତାଚ୍ଛଲ୍ୟ କରିଛନ୍ତି । ୨୪ ବର୍ଷର ବିଜେଡ଼ି ସରକାର ଏବଂ୧୭ ମାସର ବିଜେପି ସରକାରର ରିପୋର୍ଟ ଗୃହକୁ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ସେତେବେଳେ ନଳ ଥିଲା ଜଳ ନଥିଲା, ଏବେ ନଳ ଅଛି ଆଉ ଜଳ ବି ଅଛି । ୨୦୨୪ ଜୁନ୍ ସୁଦ୍ଧା ବିଜେଡି ସରକାର ମାତ୍ର ୩ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିବାବେଳେ ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ । ସେହିପରି ବିଜେଡି ୧୬ଟି ସିଭିଲ୍ ପ୍ରୋଜେକ୍ଟ କରିଥିଲା କିନ୍ତୁ ଆମ ସରକାର ୬୬ଟି ସମ୍ପୂର୍ଣ୍ଣ କରିଛି । ସେହିପରି ୩ ହଜାର ୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କରିଥିବାବେଳେ ଏ ସରକାର ୨୭୦୨ଟି ପ୍ରକଳ୍ପ ଶେଷ କରି ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here