ଗୋଆର ଏକ ନାଇଟ୍ କ୍ଲବ୍ରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ତଦନ୍ତରୁ ଜଣାପଡିଛି ଯେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା।ଗୋଆ ଦୁର୍ଘଟଣାରେ ମୋଟ ୨୫ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରୁ ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ୬ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ଗୋଆ ପୋଲିସ ଅନୁଯାୟୀ, ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ମଧ୍ୟ ଜଣାପଡିନାହିଁ। ପ୍ରାଥମିକ ତଦନ୍ତରୁ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ବିସ୍ଫୋରଣ ପ୍ରାୟ ୧୨ଟା ୪ରେ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଗୋଆର ଆରପୋରାରେ ଅଗ୍ନିକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା। ମୁଁ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଘଟଣା ବିଷୟରେ ଜାଣିବା ପାଇଁ ମୁଁ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ ଫୋନରେ କଥା ହୋଇଛି। ରାଜ୍ୟ ସରକାର ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। ଗୋଆ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକ ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ ୨ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଘଟଣା ଉପରେ ଶୋକ ପ୍ରକାଶ କରି ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଉତ୍ତର ଗୋଆର ଅଗ୍ନିକାଣ୍ଡରେ ମୁଁ ଗଭୀର ଦୁଃଖିତ। ଏହି ଦୁଃଖଦ ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ମୁଁ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଏହି ଦୁଃଖଦ ମୁହୂର୍ତ୍ତରେ ଈଶ୍ୱର ସେମାନଙ୍କୁ ଶକ୍ତି ଦିଅନ୍ତୁ। ମୁଁ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।













