ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲା ରାହାମା ବନାଞ୍ଚଳର ବନ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟ। ତାଙ୍କ ବାସଭବନରେ ଚଢ଼ଉ କରିଛି ଭିଜିଲାନ୍ସ। ତାଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଜବତ କରାଯାଇଛି । ଭିଜିଲାନ୍ସ ଯାଞ୍ଚ ସମୟରେ ବନ ଅଧିକାରୀଙ୍କ ଘରୁ ଗୋଟିଏ ବହୁ ମୂଲ୍ୟ କୋଠା, ୩ଟି ମୂଲ୍ୟବାନ ପ୍ଲଟ୍, ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା, ସୁନା ପ୍ରାୟ ୨୦୦ ଗ୍ରାମ, ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା ରାଶି ଇତ୍ୟାଦି ଜବତ ହୋଇଛି । ଜଗତସିଂହପୁରର ଚତରାଠାରେ ପ୍ରାୟ ୫୫୦୦ ବର୍ଗଫୁଟ ଜାଗା ଉପରେ ତିନି ମହାଲ କୋଠା, ଦୋନ୍ଦୋ ଅନ୍ତର୍ଗତ ସାମନ୍ତରାୟପୁର ପୈତୃକ ଗ୍ରାମରେ ୨୫୦୦ ବର୍ଗଫୁଟ ଜାଗାରେ ଏକ ଦ୍ୱିମହଲା କୋଠା ମଧ୍ୟ ରହିଛି । ଜଗତସିଂହପୁର ସହରରେ ୨ଟି ଓ କଟକ ସହର ଉପକଣ୍ଠରେ ଗୋଟିଏ ପ୍ଲଟ୍ ସମେତ ୩ ଟି ମୂଲ୍ୟବାନ ପ୍ଲଟ୍ ରହିଛି । ରାଜେନ୍ଦ୍ର କୁମାର ସାମନ୍ତରାୟ ବନ ଅଧିକାରୀ ଭାବେ ୨୬ ନଭେମ୍ବର ୧୯୮୫ରେ ମାସକୁ ୧୫୦୦ ଟଙ୍କା ଦରମା ସହିତ ଫରେଷ୍ଟର ଭାବରେ ଚାକିରିରେ ପ୍ରବେଶ କରିଥିଲେ। ୧୫ ସେପ୍ଟେମ୍ବର ୨୦୨୧ରେ ଡେପୁଟି ରେଞ୍ଜର ଭାବରେ ପଦୋନ୍ନତି ପାଇ ଅନୁଗୁଳ ଫରେଷ୍ଟ ଡିଭିଜନରେ ଯୋଗ ଦେଇଥିଲେ ଓ ପରେ ୩୧ ଅଗଷ୍ଟ ୨୦୨୩ରେ ରେଞ୍ଜର ପଦବୀକୁ ପଦୋନ୍ନତି ଦିଆଯାଇଥିଲା ଏବଂ ସେ ଜଗତସିଂପୁରର ରାହାମା ବନାଞ୍ଚଳରେ ଯୋଗ ଦେଇଥିଲେ ।














