ବାଂଲାଦେଶ ପରେ ଏବେ ଭାରତ ବିରୋଧୀ ହିଂସା ନ୍ୟୁଜଲ୍ୟାଣ୍ଡର ଓକଲ୍ୟାଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି । ଶିଖ ସମ୍ପ୍ରଦାୟର ଏକ ଧାର୍ମିକ ଯାତ୍ରା ଚାଲୁଥିବା ସମୟରେ ଏହି ହିଂସା ହୋଇଛି । ଗତ ଶନିବାର ଦକ୍ଷିଣ ଓକଲ୍ୟାଣ୍ଡର ମୈନୁରେବାରେ ଶିଖ ସମ୍ପ୍ରଦାୟର ପ୍ରବାସୀ ଭାରତୀୟମାନେ ଏକ ଧାର୍ମିକ ଶୋଭାଯାତ୍ରାର ଆୟୋଜନ କରିଥିଲେ । ଗୁରୁଦ୍ୱାରରୁ ଏହି ଶୋଭାଯାତ୍ରା ବାହାରିଥିଲା,ଏଥିରେ ବହୁ ସଂଖ୍ୟକ ଶିଖ ଥିଲେ । ଶୋଭାଯାତ୍ରା କିଛି ବାଟ ଯିବା ପରେ ହିଂସା ଆରମ୍ଭ ହୋଇଥିଲା । ‘ଟ୍ରୁ ପ୍ୟାଟ୍ରିୟଟ୍ସ ଅଫ୍ ନ୍ୟୁଜଲ୍ୟାଣ୍ଡ’ର କିଛି ଲୋକ ଶୋଭାଯାତ୍ରା ସମ୍ମୁଖରେ ସେମାନଙ୍କର ପାରମ୍ପାରିକ ନୃତ୍ୟ ମାଓରୀ ହାକା କରିଥିଲେ । ଏହି ଲୋକମାନେ ପେଣ୍ଟକୋଷ୍ଟଲ୍ ନେତା ବ୍ରାୟନ ତମାକୀ ଏବଂ ଡିଷ୍ଟିନୀ ଚର୍ଚ୍ଚର ଥିଲେ । ନାରାବାଜି କରାଯିବା ସହିତ ଭାରତ ବିରୋଧୀ ମନ୍ତବ୍ୟ ମଧ୍ୟ ଦେଇଥିଲେ । ‘ଏହା ନ୍ୟୁଜଲ୍ୟାଣ୍ଡ, ଏହା ଭାରତ ନୁହେଁ’, ଓ ‘ଜଣେ ହିଁ ଭଗବାନ, ଯୀଶୁ ଯୀଶୁ’ ବୋଲି ନାରା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚିବା ପରେ ମାମଲା ଶାନ୍ତ ପଡ଼ିଥିଲା ଏବଂ ଶିଖ୍ ସମ୍ପ୍ରଦାୟକଙ୍କ ଶୋଭାଯାତ୍ରା ଅଧାରୁ ବନ୍ଦ୍ କରାଯାଇଥିଲା । ଆୟୋଜକ କମିଟି ସଦସ୍ୟ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନର ସମ୍ପୂର୍ଣ୍ଣ ଅନୁମତିରେ ଶୋଭାଯାତ୍ରା ଆୟୋଜନ ହୋଇଥିଲା କିନ୍ତୁ ଏପରି ବିରୋଧ ସେମାନଙ୍କ ପାଇଁ ଅପ୍ରତ୍ୟାଶିତ ଥିଲା ।













