ଓଡ଼ିଶା ଜଳ ଯୋଗାଣ ଓ ସ୍ଵୋରେଜ ପରିଷଦ (OWSSB)ର ୨୭ ତମ ବୋର୍ଡ୍ ବୈଠକ ଦୀର୍ଘ ୯ ବର୍ଷ ପରେ ଅନୁଷ୍ଠିତ ହୋଇଛି । ଏହା ପୂର୍ବରୁ OWSSBର ଶେଷ ବୋର୍ଡ୍ ବୈଠକ ୨୦୧୬ ମସିହାରେ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା OWSSBକୁ ପୁନରୁଜ୍ଜୀବିତ କରିବା, ସଂସ୍ଥାଗତ ଶକ୍ତିବୃଦ୍ଧି ଓ କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ସଂଗଠିତ ପଦକ୍ଷେପର ଅଂଶ ରୂପେ ଅକ୍ଟୋବର ୨୦୨୫ ରେ ବୋର୍ଡ୍ ପୁନଃଗଠନ କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ, ବୋର୍ଡ ଉପାଧ୍ୟକ୍ଷ ଭାବେ ଉପସ୍ଥିତ ଥିଲେ । ବୈଠକରେ ପ୍ରାୟ ୨୪ଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ପ୍ରଶାସନିକ, ଆର୍ଥିକ ଓ ପ୍ରାଯୁକ୍ତିକ ବିଷୟରେ ଆଲୋଚନା କରାଯାଇ ସିଦ୍ଧାନ୍ତ ନିଆଯାଇଛି ।ପୂର୍ବବର୍ତ୍ତୀ ବୋର୍ଡ୍ ବୈଠକର କାର୍ଯ୍ୟବୃତ୍ତାନ୍ତକୁ ଅନୁମୋଦନ କରାଯିବା ସହ ତିନିଜଣ ଦୈନିକ ଶ୍ରମିକ ରୋଲ୍ (DLR) କର୍ମଚାରୀଙ୍କୁ ଗ୍ରାଟୁଇଟି ପ୍ରଦାନ ପାଇଁ ମଞ୍ଜୁରି ଦିଆଯାଇଛି । ଏହା ସହ OWSSBରେ କାର୍ଯ୍ୟରତ DLRମାନଙ୍କ ପାଇଁ ବିଶେଷ ପ୍ରୋତ୍ସାହନ ରାଶି ୨୦୦ ଟଙ୍କା ବୃଦ୍ଧି କରାଯିବାକୁ ମଧ୍ୟ ଅନୁମୋଦନ ମିଳିଛି । ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ପ୍ରାଯୁକ୍ତିକ ବିଷୟଗୁଡ଼ିକର ସମଗ୍ର ପରୀକ୍ଷା ପାଇଁ OWSSB, PHEO ଓ WATCOର ଅଧିକାରୀମାନଙ୍କ ସମ୍ମିଳନରେ ଏକ କମିଟି ଗଠନ କରିବାକୁ ବୋର୍ଡ୍ ନିଷ୍ପତ୍ତି ନେଇଛି । କମିଟି ସମ୍ପର୍କିତ ପ୍ରସ୍ତାବଗୁଡ଼ିକୁ ପରୀକ୍ଷା କରି ଆଗାମୀ କାର୍ଯ୍ୟ ପାଇଁ ସୁପାରିଶ ଦାଖଲ କରିବ । ବୋର୍ଡ୍ OWSSBର ସୁଶାସନ, ସମୟୋଚିତ ସିଦ୍ଧାନ୍ତ ଗ୍ରହଣ ଓ ସଂସ୍ଥାର ସମଗ୍ର କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ନିୟମିତ ବୋର୍ଡ୍ ବୈଠକ ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି ।













