ଭେନେଜୁଏଲା ଉପରେ ଆମେରିକାର ହମଲା ପରେ ବିଶ୍ୱରେ ଉତ୍ତେଜନାପୂର୍ଣ୍ଣ ମାହୋଲ ସୃଷ୍ଟି ହୋଇଛି ଓ ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି । ଦୁଇ ଦେଶ ପରସ୍ପରକୁ ହମଲାର ଧମକ ଦେଇଛନ୍ତି । ଇରାନର ଆର୍ମି ଚିଫ ମେଜର ଜେନେରାଲ ଅମୀର ହତାମୀ ଆମେରିକାକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କୌଣସି ବି ବିଦେଶୀ ଶକ୍ତି ଇରାନକୁ ଧମକାଇ ପାରିବେ ନାହିଁ । ଯଦି କେହି ହମଲା କରେ ତେବେ ତାର ହାତ କାଟି ଦେବୁ । ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ଜବାବରେ ଇରାନ ଏହି ଜବାବ ଦେଇଛି । ଟ୍ରମ୍ପ କହିଛନ୍ତି, ଯଦି ଇରାନରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଅତ୍ୟାଚାର ବନ୍ଦ ନ ହୁଏ ତେବେ ଆମେରିକା ଏଥିରେ ହସ୍ତକ୍ଷେପ କରିବ । ଶାନ୍ତପୂର୍ଣ୍ଣ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ଗୁଳିମାଡ ହେଲେ ଆମେରିକା ସେମାନଙ୍କୁ ବଞ୍ଚାଇବାକୁ ଆସିବ । ଆମେ ପ୍ରସ୍ତୁତ ଏବଂ ଗୁଳି ଲୋଡ୍ ହୋଇ ରହିଛି । ଆମେରିକାର ସାଂସଦ ଲିଣ୍ଡସେ ଗ୍ରାହମ ଏକ ଟିଭି ଇଣ୍ଟରଭ୍ୟୁରେ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନେଇଙ୍କୁ ଖୋଲା ଧମକ ଦେଇଥିଲେ । ସେ ଇରାନର ପ୍ରଦର୍ଶନକାରୀଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରିବାକୁ କହିଥିଲେ । ଏହା ମଧ୍ୟ କହିଥିଲେ, ଯଦି ଆପଣ ସେହି ଲୋକଙ୍କୁ ମାରିବେ ତେବେ ଡୋନାଲ୍ଡ ଟ୍ରମ୍ପ ଆପଣଙ୍କୁ ମାରି ଦେବେ । ତେଣୁ ତେହରାନର ନେତାମାନେ ଟ୍ରମ୍ପଙ୍କୁ ବହୁତ ଗମ୍ଭୀରତାର ସହ ନେବା ଉଚିତ୍ । ଇରାନରେ ଅନେକ ଦିନରୁ ବ୍ୟାପକ ମାତ୍ରାରେ ବିରୋଧ ପ୍ରଦର୍ଶନ ହେଉଛି । ଏହି ବିରୋଧ ଦରବୃଦ୍ଧି, ଇରାନ ମୁଦ୍ରାର ମୂଲ୍ୟ ହ୍ରାସ ଓ ଆର୍ଥିକ ସଙ୍କଟ ବିରୋଧରେ ହେଉଅଛି ।ଫାସା ସହରରେ, ପ୍ରଦର୍ଶନକାରୀମାନେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ ଏବଂ ପଥର ଫିଙ୍ଗିଥିଲେ। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ଓ କହିଥିଲେ ଯେ ଟିକସ ବୃଦ୍ଧି ଯୋଜନାର ପୁନର୍ବିଚାର କରାଯିବ । ଏହି ପ୍ରଦର୍ଶନ ତେହରାନରୁ ଆରମ୍ଭ ହୋଇ ସମଗ୍ର ଦେଶରେ ଏବେ ବ୍ୟାପି ଯାଇଛି ।

LEAVE A REPLY

Please enter your comment!
Please enter your name here