ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଆକ୍ରମଣ ଥମିବାର ନାଁ ନେଉନି । ଶୁକ୍ରବାର ରାତିରେ ନରସିନ୍ଦିରେ ୨୩ ବର୍ଷୀୟ ଚଞ୍ଚଲ ଭୌମିକଙ୍କୁ ତାଙ୍କରି ଦୋକାନାରେ ଜୀବନ୍ତ ଜାଳି ହତ୍ୟା କରାଯାଇଛି । ଘଟଣା ଦିନ ରାତିରେ ଚଞ୍ଚଲ ଗ୍ୟାରେଜରେ ଶୋଇଥିବାବେଳେ, ଆକ୍ରମଣକାରୀ ବାହାରେ ସଟର ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଚଞ୍ଚଲ ଭିତର ପଟୁ ଯେତେ ଚିତ୍କାର କଲେ ବି କେହି ଶୁଣି ନ ଥିଲେ । ପଡୋଶୀଙ୍କ ଅନୁଯାୟୀ ଚଞ୍ଚଲ ଜଣେ ଶାନ୍ତ ଏବଂ ପରିଶ୍ରମୀ ପିଲା ଥିଲା । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଏହା କୌଣସି ସାଧାରଣ ଘଟଣା ନୁହେଁ । ଏହା ପୂର୍ବରୁ ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସ ଓ ଖୋକନ ଦାସଙ୍କ ପରି ଅନ୍ୟ ହିନ୍ଦୁ ଯୁବକଙ୍କୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।ଚଞ୍ଚଲଙ୍କ ଉପରେ ତାଙ୍କ ମାଆ ଏବଂ ଦିବ୍ୟାଙ୍ଗ ଭାଇ ନିର୍ଭରଶୀଳ ଥିଲେ । ଏହି ହିଂସାକୁ ଉସୁକାଇବାର କାମ ଚରମପନ୍ଥୀ ସଂଗଠନ ଜମାତ ଏ ଇସଲାମୀ ନେତା ଖୋଲାଖୋଲି ଭାବେ ବଢାଉଛନ୍ତି । ଏହି ହିଂସାକୁ ପ୍ରୋତ୍ସାହନ କରିଥିଲେ ବରଗୁନା-୨ ଆସନରୁ ପ୍ରାର୍ଥୀ ଅଫଜଲ ହୁସେନ । ସେ ନିକଟରେ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ, ୮୦ ପ୍ରତିଶତ ମୁସଲିମ ବହୁଳ ଦେଶର ସଂସଦରେ ଅଣ ମୁସଲିମଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ ।














