ଆଜି ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି । ଆଜି ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାପରେ ସେଠାରୁ ସିଧା ଲୋକଭବନ ଯାଇ ରାତ୍ରିଯାପନ କରିବେ । ୩ ତାରିଖ ସକାଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ଯାଜପୁର ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍‌ରେ ଅବତରଣ କରିବେ । ସେଠାରୁ ମା’ ବିରଜାଙ୍କ ଦର୍ଶନ ପାଇଁ ଯିବେ ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ସେଠାରୁ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । କାର୍ଯ୍ୟକ୍ରମ ଶେଷ ପରେ, ପୁରୀ ଅଭିମୁଖେ ବାହାରିବେ । ସନ୍ଧ୍ୟାରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଳତି ଦର୍ଶନ କରିବା ପରେ ପୁରୀ ଲୋକଭବନରେ ରାତ୍ରିଯାପନ କରିବେ। ଫେବୃଆରୀ ୪ ତାରିଖରେ ୧୧.୩୦ ସମୟରେ କେନ୍ଦ୍ର ସରକାରଙ୍କ ହଲି ଡେ’ ହୋମ୍ ଉଦଘାଟନ କରିବେ ଓ ଏହା ପରେ ମହୁଲଡିହା ସ୍ଥିତ ସରକାରୀ ଏସଏସଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ଫେବୃଆରୀ ୬ରେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସରିବା ପରେ ଶିମିଳିପାଳରେ ରାତ୍ରୀ ଯାପନ କରିବେ । ସେଥିପାଇଁ ଫେବୃଆରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଫେବୃଆରୀ ୭ରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଛତିଶଗଡ଼ ଜଗଦଲପୁର ଗସ୍ତ କରିବେ।

LEAVE A REPLY

Please enter your comment!
Please enter your name here