ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳାର ଉଦଘାଟନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଏକ ପ୍ରମୁଖ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିବା ସହ ଜିଲ୍ଲାରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଜିଲ୍ଲାର ୪,୨୧୭ ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,ରାୟଗଡ଼ାର କାପଡ଼ାଗଣ୍ଡା ଶାଢ଼ୀ ଓ ସୌରା ପେଣ୍ଟିଂ ଆଜି ବିଶ୍ୱ ଦରବାରରେ ଓଡ଼ିଶାର ଗୌରବ ବଢ଼ାଉଛି। ଜିଲ୍ଲାର ପ୍ରାୟ ୨୯ ହଜାରରୁ ଅଧିକ ଭଉଣୀ ‘ଲକ୍ଷପତି ଦିଦି’ ହୋଇ ଆତ୍ମନିର୍ଭରଶୀଳତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଆମ ‘ଡବଲ ଇଞ୍ଜିନ’ ସରକାର ମହିଳାମାନଙ୍କ ସଶକ୍ତିକରଣ ଓ ସ୍ୱାଭିମାନ ପାଇଁ ସୁଭଦ୍ରା ଶକ୍ତି କେନ୍ଦ୍ର ଭଳି ଅନେକ ପଦକ୍ଷେପ ନେଉଛନ୍ତି। ମୋର ଦୃଢ ବିଶ୍ୱାସ, ମା’ମାନଙ୍କର ଏହି ସକ୍ରିୟ ଯୋଗଦାନ ହିଁ ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ”। ମୁଖ୍ୟମନ୍ତ୍ରୀ ଆଜି ୨୧୦ କୋଟି ଟଙ୍କାର ୪୧ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ଏବଂ ୩୪୦ କୋଟି ଟଙ୍କାର ୬୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ରାସ୍ତା, ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ବିକାଶ ଏବଂ ସହରାଞ୍ଚଳ ସୁବିଧାଗୁଡ଼ିକୁ ଅନ୍ତର୍ଭୁକ୍ତ । ରାୟଗଡ଼ା ଜିଲ୍ଲାରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ, ୩୦,୦୦୦ ରୁ ଅଧିକ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଏବଂ ୮୦% ଚାକିରି ବାସିନ୍ଦାଙ୍କୁ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ କର୍ତ୍ତବ୍ୟ କେବଳ ଆର୍ଥିକ ସହାୟତା ପ୍ରଦାନ କରିବା ନୁହେଁ ବରଂ ମହିଳାଙ୍କ ସମ୍ମାନକୁ ସୁରକ୍ଷା ଦେବା ।














